
-
ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ 11 ଦିନ ପୂର୍ବରୁ ପୂର୍ବତଟ ରେଳପଥ ଏହି ସଫଳତା ହାସଲ କରିଛି
ଭୁବନେଶ୍ୱର, ଚଳିତ 2022-23 ଆର୍ଥିକ ବର୍ଷ ଶେଷ ହେବାର 11 ଦିନ ପୂର୍ବରୁ ପୂର୍ବତଟ ରେଳପଥ (ଇକୋର) ପଣ୍ୟ ପରିବହନ କ୍ଷେତ୍ରରେ ଏହାର ପରିସୀମା ମଧ୍ୟରୁ 232.32 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି | 2021-22 ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପୂର୍ବତଟ ରେଳପଥ 223.64 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା ବେଳେ 2021-22 ଆର୍ଥିକ ବର୍ଷରେ ସମୁଦାୟ 232.13 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା |
ଏଠାରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବ ତଟ ରେଳପଥ ହେଉଛି ଏକମାତ୍ର ରେଳପଥ ଯାହାକି 220 ନିୟୁତ ଟନ୍ ଏବଂ 230 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିସାରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ 240 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଦୃଢ ବିଶ୍ୱାସ ରଖିଛି | ପୂର୍ବ ତଟ ରେଳପଥ ପାଇଁ ଚଳିତ ଆର୍ଥିକ ବର୍ଷରେ 240.60 ନିୟୁତ ଟନ୍ ପଣ୍ୟ ବୋଝେଇ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ଧାର୍ଯ୍ୟ ଦେଇଛି |
ଏହି ବାବଦରେ ଆୟ କ୍ଷେତ୍ରରୁ ପୂର୍ବତଟ ରେଳପଥ 2022-23 ଆର୍ଥିକ ବର୍ଷରେ ଉପରୋକ୍ତ ସମୟ ମଧ୍ୟରେ ପଣ୍ୟ ବୋଝେଇରୁ 23872.69 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷରେ ଏହି ବାବଦରେ ସମୁଦାୟ ଆୟ 22184.85 କୋଟି ଟଙ୍କାକୁ ଅତିକ୍ରମ କରି ପ୍ରାୟ 7.6% ବୃଦ୍ଧି ଆଣି ପାରିଛି |