 
                ବଲାଙ୍ଗିର,ନିକଟରେ ୨୦୨୨ ଡ଼ାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ ବେଳେ ଡାକ ସୁପରିଟେଣ୍ଡେନ୍ଟ ୩୭ ଜଣଙ୍କ ନାମରେ ଟାଉନ୍ ଥାନା ରେ ମାମଲା ଦେବା ପରେ ପୁଣି ଗୋଟିଏ ଜାଲ ପ୍ରମାଣ ପତ୍ର ରାକେଟ ସାମନାକୁ ଆସିଛି। ଦୁଇଦିନ ହେଲା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ କୋଚିଙ୍ଗ ସେଣ୍ଟର୍ ଅଫିସ ଓ ମାଲିକଙ୍କ ଘରେ ବଲାଙ୍ଗିର ସବ କଲେକ୍ଟର କୁମାର୍ ନାଗଭୂଷଣଙ୍କ ଉପସ୍ଥିତିରେ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟାଉନ ପୋଲିସ ତନ୍ନ ତନ୍ନ କରି ସବୁ ବିଷୟ ଯାଞ୍ଚ କରୁଛି।
ନିଯୁକ୍ତି ପାଇଥିବା ଯାଞ୍ଚ ବେଳେ ପ୍ରମାଣ ପତ୍ରରେ ଲିଖିତ ମାର୍କ ଓ ପ୍ରାର୍ଥୀଙ୍କ ପ୍ରକୃତ ସ୍ଥିତି ଦେଖି ସନ୍ଦେହ ହୋଇଥିଲା। ପାଟଣାଗଡ଼ ଧୁମାଭଟା ଗ୍ରାମରେ ସୁବଳୟା ଭୋଇ ଦଶମ ଶ୍ରେଣୀ ପରୀକ୍ଷାରେ ଇଂରାଜୀରେ ୯୯ ମାର୍କ ରଖିଥିବା ଵେଳେ ସାର୍ଟିଫିକେଟ ଯାଞ୍ଚ ପରୀକ୍ଷା ବେଳେ ସେ ନିଜ ନାମ, ପଢିଥିବା ସଂସ୍ଥାର ନାମ ମଧ୍ୟ ଠିକ୍ ଭାବେ ଲେଖି ପାରିନଥିଲେ ଇଂରାଜୀରେ। ଅନ୍ୟ ଜଣେ ପ୍ରାର୍ଥୀ ଜାଲ ପ୍ରମାଣ ପତ୍ର ପାଇଁ ରାଜ୍ୟ ବାହାରୁ ଉତ୍ତରପ୍ରଦେଶ ପ୍ରେମ ନଗର ଝାନ୍ସୀ ଆମ୍ବେଦକର ଶିକ୍ଷାନୁଷ୍ଠାନରୁ ଜାରି ହୋଇଥିବା ସାର୍ଟିଫିକେଟ ପାଇଁ ୫୦୦୦୦ ଟଙ୍କା ନେଇ ସାର୍ଟିଫିକେଟ ଆଣିଥିବା କହିବା ପରେ ଏହା ଧରାପଡ଼ି ଏହା ଉପରେ ଅଭିଯୋଗ ହୋଇଥିଲା। ଏସପି ନୀତିନ କୁସଲକର ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଜାଲ ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗତାଙ୍କୁ ଗତକାଲି ଆଣି ଅଟକ ରଖିଥିଲେ।
ଏସଡିପିଓ ତୋଫାନ ବାଗଙ୍କ କହିବା ଅନୁସାରେ, ଆଜି ହୋଇଥିବା ୩୭ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଅଟକ ରଖାଯାଇଛି। ଏହି ରିଲାଏନ୍ସ କୋଚିଙ୍ଗ ସେଣ୍ଟରରେ ଚଢ଼ଉ ବେଳେ ସେଠାରୁ ଲାପଟପ୍, ଡାଇରୀ, ଅନେକ ସାର୍ଟିଫିକେଟ, ବିଭିନ୍ନ ୟୁନିଭର୍ସିଟୀର ତିଆରି ରବର୍ ଷ୍ଟାମ୍ପ, ନଗଦ ଅର୍ଥ ଏବଂ ଅନେକ ଆପତ୍ତି ଜନକ ଜିନିଷ ମିଳିଛି। ପୋଲିସ ୮ ଜଣଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛି। ଜାଲ ସାର୍ଟିଫିକେଟ ବଳରେ ଅନେକ ନିଯୁକ୍ତି ପାଇଥିବା ପୋଷ୍ଟ ମାଷ୍ଟର ଗିରଫ ଭୟରେ ଫେରାର ହୋଇଯାଇଥିବା ଜଣାଯାଇଛି ।
ଏହି ତଦନ୍ତ ଟିମ୍ ରେ ଟାଉନ ଥାନା ଇନ୍ସପେକ୍ଟର, ସଦର ଥାନା ଇନ୍ସପେକ୍ଟର ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ହୋଇ ଚଢ଼ଉ ଜାରି ରଖିଥିବା ଜଣାପଡିଛି। ଖୋଳତାଡରେ ଆଗକୁ ଆହୁରି ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରୀ ରହିଛି।

 
                    







