କନ୍ଧମାଳ, ଫୁଲବାଣୀ ସହରର ମୁଖ୍ୟ ରାଜରାସ୍ତା କଡ଼ରେ ଓ ସମବାୟ ବିଭାଗୀୟ କାର୍ଯ୍ୟଳୟ ଫୁଲବାଣୀ ସମ୍ମୁଖରେ ଥିବା ବିରାଟକାୟ ଶୁଖିଲା ଶାଳ ଗଛର ଏକ ଶାଖା ଶୁକ୍ରବାର ସକାଳ ୬ଟା ୩୦ ମିନଟ ସମୟରେ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ, ଏହି ସମୟରେ କିଛି ଦୂରରେ ସାଇକେଲ ଆରୋହି ଏବଂ ବାଇକରେ ଦୁଇ ଜଣ ବ୍ୟକ୍ତି ଆସୁଥିଲେ। ସେମାନେ ଅଳ୍ପକେ ବର୍ତି ଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଶୁଖିଲା ଗଛ ପଡ଼ିବା ସଙ୍ଗେ ସଙ୍ଗେ ୧୧ ନମ୍ବର ୱାର୍ଡର ବାସିନ୍ଦା କାଉନସିଲର ବସନ୍ତ ସାହାଣୀଙ୍କୁ ଅବଗତ କରାଇଥିଲେ। କାଉନସିଲର ତତକ୍ଷଣାତ ପୌରାଧ୍ୟକ୍ଷାଙ୍କୁ ଜଣାଇଥିଲେ। ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଘଟଣା ଶୁଣି ଫୁଲବାଣୀ ବନ ବିଭାଗକୁ ଅବଗତ କରାଇଥିଲେ। କିନ୍ତୁ, ବନ ବିଭାଗ କର୍ମଚାରୀ ଆସିବାରେ ବିଳମ୍ବ ହେବା ଯୋଗୁଁ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ମୂଖ୍ୟ ରାସ୍ତା ଉପରେ ଧାରଣା ଦେଇଥିଲେ। ରାସ୍ତାର ଉଭୟ ପଟେ ଶହ ଶହ ଗାଡି ୩ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଫଲରେ ଯାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ଅବରୋଧ ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସର ବାରମ୍ବାର ବୁଝାଶୁଝା ପରେ ବି ସ୍ଥାନୀୟ ବାସିନ୍ଦା ରାସ୍ତାରୁ ହଟି ନଥିଲେ । ବାସିନ୍ଦାଙ୍କ କହିବା ଅନୁଯାୟୀ, ବନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଗଛ କାଟିବା ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି ତେଣୁ ସେମାନେ ଶୁଖିଲା ଗଛ କାଟିବା ପାଇଁ ଜିଦ ଧରିଥିଲେ। ବନ ବିଭାଗ ପକ୍ଷରୁ ଗଛ କାଟିବା ପାଇଁ ସମସ୍ତ ବ୍ୟବସ୍ଥା ପରେ ସେମାନେ ଧାରଣାରୁ ହଟି ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର କହଁରଙ୍କ ସମେତ ମୋଚି ସାହିର ସମସ୍ତ ବାସିନ୍ଦା ଧାରଣାରେ ସାମିଲ ଥିଲେ।