-
ଗୃହ କମିଟି ଗଠନ କରି ଜାଂଚ କରିବାକୁ କଲେ ଦାବି
ଭୁବନେଶ୍ୱର, ମାଓବାଦୀ ମାନଙ୍କ ଦ୍ୱାରା ସିଆରପିଏଫ ଜବାନ ମାନଙ୍କୁ ହତ୍ୟା କରାଯିବା ପରେ ଜାଂଚ ନାମରେ ନୂଆପଡା ଜିଲ୍ଲାର ବୋଡେନ ବ୍ଲକରେ ଆଦିବାସୀ ମାନଙ୍କୁ ଅତ୍ୟାଚାର କରାଯାଉଛି । ଗୋଟିଏ ପଟେ ମାଓବାଦୀ ମାନଙ୍କ ଭୟ ଥିବା ବେଳେ ଅନ୍ୟ ପଟେ ସୁରକ୍ଷା ଏଜେନ୍ସି ମାନେ ତାଙ୍କ ସହ ଅତ୍ୟାଚାର କରୁଛନ୍ତି । ତେଣୁ ସେମାନେ ଗାଁ ଛାଡୁଛନ୍ତି । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହୋଇଥିବା କାରଣରୁ ଏହି ମାମଲାରେ ଗୃହ କମିଟି ଗଠନ କରାଯାଇ ସେଠାକୁ ଯାଇ ଜାଂଚ କରାଯାଉ । ବିଧାନସଭାରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବିଧାନସଭା ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । କଂଗ୍ରେସ ବିଧାୟକ ମାନେ ମଧ୍ୟ ସେମାନଙ୍କ ଆସନରେ ଠିଆ ହୋଇ ଏହି ପ୍ରସଙ୍ଗରେ ରୁଲିଂ ଦାବି କରିଥିଲେ । ବାଚସ୍ପତି କହିଥିଲେ ଯେ ଏହି ମାମଲାରେ ଶୀଘ୍ର ନିଷ୍ପତି ନେବେ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ଗତ 2022 ଜୁନ 21 ତାରିଖରେ ରେ ନୂଆପଡା ବୋର୍ଡେନରେ ମାଓବାଦୀ ତିନି ଜଣ ସିଆରପିଏଫ ପୋଲିସଙ୍କୁ ହତ୍ୟା କରିଥିଲେ | ଏହି ଅଭିଯୋଗରେ ପୋଲିସ ବୋର୍ଡେନ ଗାଁକୁ ଯାଇ ସାକ୍ଷୀ ପ୍ରମାଣ ଯୋଗାଡ଼ ନକରି ବୋର୍ଡେନ ଗାଁର ଲୋକ ମାନଙ୍କୁ ଥାନାରେ ହଜାର ହେବାକୁ ନୋଟିସ ଦେଲେ | ଥାନାରେ ହଜାର ହେବା ପରେ ସେମାନଙ୍କୁ ବୋର୍ଡେନ ଥାନାରେ ସେମାନଙ୍କୁ 50 ହଜାର ଟଙ୍କା ଅର୍ଥ ଲୋଭ ଦିଆଯାଇଥିଲା, ତଥାପି ସେମାନେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା କଥା କହିଥିଲେ | ଏହା ପରେ ବି ସେମାନଙ୍କୁ ପୁଣି ପଚାରା ଉଚରା କରିବା ପାଇଁ ଏନଆଇଏ କଲିକତା ନେଇଥିଲେ | ସେଠି ତାଙ୍କୁ ଅତ୍ୟାଚାର କରଯାଇଥିଲା | ଘଟଣା ସମ୍ପର୍କରେ ସେମାନେ କିଛି ଜାଣି ନଥିବା କହିବା ପରେ ବି ସେମାନଙ୍କୁ କଲିକତା ନେଇ ଅତ୍ୟାଚାର କରାଯାଇଛି | | ଯଦି ପୋଲିସ ଏଭଳି ଭାବରେ ପୋଲିସ ନିରୀହ ଆଦିବାସୀଙ୍କ ଉପରେ ଏଭଳି ଅତ୍ୟାଚାର କରେ, ତାହାଲେ ମାଓବାଦୀ ଚିନ୍ତାଧାରାକୁ ଦମନ କରିବା ପାଇଁ ସରକାର ଯେଉଁ ଚିନ୍ତା କରୁଛନ୍ତି ତାହା ଫଳପ୍ରଦ ହେବ ନାହିଁ | ଗୋଟେ ପଟେ ମାଓବାଦୀର ଭୟ ଅନ୍ୟପଟେ ପୋଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଆଦିବାସୀ ଲୋକେ, ତେଣୁ ଏହାର ପ୍ରତିବାଦ କରାଯାଇଥିଲେ ବି ଓଡିଶା ପୋଲିସ ନୀରବ ଦ୍ରଷ୍ଟା ସାଜିଛି । ଏହି ମାମଲାରେ ବିଧାନସଭା ନୀରବଦ୍ରଷ୍ଟା ହୋଇ ପାରିବ ନାହିଁ । ତେଣୁ ତୁରନ୍ତ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ସେ ଦାବି କରିଥିଲେ ।