ଚମ୍ପୁଆ, ଚମ୍ପୁଆ ବ୍ଲକ, ରଜିଆ ପଞ୍ଚାୟତ ଅନ୍ତର୍ଗତ କଞ୍ଚନପୁର ଠାରୁ ଜୟନ୍ତୀନାପୁର ଗ୍ରାମ୍ୟ ସଡ଼କ ଯୋଜନାକୁ ଦୀର୍ଘ ୫ ବର୍ଷରୁ ଅଧିକ ବିତି ଯାଇଥିଲେବି ଏହା ଅଧ ପନ୍ତରିଆ ଭାବେ ପଡ଼ିରହିଛି। ୫ ବର୍ଷ ତଳେ କାମକୁ ଅଧାରେ ଛାଡି ଠିକାଦାର ଛୁ ମାରିଥିବା ବେଳେ ରାସ୍ତା କାମ ଆଉ ହେବ କି ନାହିଁ ଏବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗମନା ଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦିଆଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନାମାନୀ କାମ ପାଇଁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା କୁହାଯାଉଛି। ଚମ୍ପୁଆ ବ୍ଲକର ରଜିଆ ପଞ୍ଚାୟତ ଅନ୍ତର୍ଗତ କଞ୍ଚନପୁର ଠାରୁ ଜୟନ୍ତୀନାପୁର ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାକୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ୪ କୋଟି ୬୯ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। କେନ୍ଦୁଝର ନିର୍ବାହୀଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ୨ ତତ୍ଵାବଧାନରେ ଏହି ଠିକା କାମ ବାରିପଦା ସ୍ଥିତ ସର୍ବେଶ୍ଵର ଚୌଧୁରୀଙ୍କୁ ମିଳିଥିବା ବେଳେ ୧୨ – ୭ – ୨୦୧୮ ରୁ ଠିକାଦାର ଏହି ରାସ୍ତା କାମ ଆରମ୍ଭ କରିଥିଲେ। ତେବେ ଏହି ରାସ୍ତା କାମ ୧୧ – ୪ – ୨୦୧୯ ସୁଦ୍ଧା ସରିବା ନେଇ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ କାମକୁ ଅଧାପନ୍ତରିଆ ଭାବେ ଛାଡି ଠିକାଦାର ଛୁ ମାରିଛି। ଠିକାଦାର କାମ ଛାଡି ଚାଲି ଯିବାର ୫ ବର୍ଷ ବିତିବାକୁ ବସିଲାଣି କିନ୍ତୁ ଏବେ ସୁଦ୍ଧା ରାସ୍ତା ଅଧପନ୍ତରିଆ ଭାବେ ପଡି ରହିଛି। ତେବେ କଞ୍ଚନପୁର ଠାରୁ ଜୟନ୍ତୀନାପୁର ୧ କି.ମି. ୯୦ ମିଟର ରାସ୍ତାକୁ ଠିକାଦାର ଅଧପନ୍ତରିଆ ଭାବେ ପକାଇ ଚାଲି ଯାଇଥିବାବେଳେ ବିଭାଗୀୟ ଅବହେଳା ପାଇଁ ମଧ୍ୟ ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଉପରେ ଦୈନିକ ନିର୍ଭର କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଦେବନାଥ ଓରାମଙ୍କୁ ଯୋଗାଯୋଗ କରିବାରୁ କାମ ଅଧାରୁ ବନ୍ଦ କରି ଦେଇଥିବାରୁ ବିଭାଗ ଠିକାଦାର ନାମରେ ମାମଲା ରୁଜୁ କରିସାରିଛି। ତେବେ ଆଗକୁ ନୂଆ ଟେଣ୍ଡର କରି ରାସ୍ତା କାମ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ ରଖାଯାଇଛି ବୋଲି ସେ କହିଛନ୍ତି। ତେବେ ଆଗକୁ ଏହି ରାସ୍ତା କାମ ହେବ କି ନାହିଁ, ନା ଲୋକଙ୍କୁ ଲଲିପପ ଦେଇ ବିଭାଗ ଧୃତରାଷ୍ଟ୍ର ସାଜି ବସି ରହିବ ଦେଖିବାକୁ ବାକି ରହିଲା।