ଝାରସୁଗୁଡ଼ା, ୨୦୧୯ କୋଭିଡ଼୍ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଷ୍ଟେସନରେ ରହଣି କରୁଥିବା ସମସ୍ତ ପାସେଞ୍ଜର ଓ ଦୃତଗାମୀ ଟ୍ରେନର ପୁନଃ ରହଣି ଦାବିରେ ଆଜି ବେଲପାହାଡ଼ ଷ୍ଟେସନରେ ବେଲପାହାଡ଼ – ଲଖନପୁର ରେଳ ୟୁଜର୍ସ ଫୋରମ୍ ପକ୍ଷରୁ ରେଳରୋକ ଆନ୍ଦୋଳନ କରାଯାଇଛି । ଏଥିସହ ଷ୍ଟେସନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସକାଳ ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଳାଶପୁର ରେଳ ଡିଭିଜନର ହାଓଡ଼ା-ମୁମ୍ବାଇ ରେଳପଥରେ ରେଳରୋକ ଆରମ୍ଭ ହୋଇଛି । ଫଳରେ ସମ୍ପୃକ୍ତ ରୁଟ୍ ରେ ରେଳ ଚଳାଚଳ ବ୍ୟାହତ ହୋଇଛି । ଅଟକି ରହିଛି ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ । ଏଥିସହ ସମ୍ପୂର୍ଣ୍ଣ ବେଲପାହାଡ଼ ବନ୍ଦ ପାଳନ କରିଛି ଫୋରମ୍ । ରେଳରୋକ ସମୟରେ ଉତେଜନା ସୃଷ୍ଟି ହେବା ଆଶଙ୍କାରେ ବେଲପାହାଡ଼ ରେଳ ଷ୍ଟେସନରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି ସନ୍ଧ୍ୟାଠାରୁ ଝାରସୁଗୁଡ଼ା ଜିଆରପି ପକ୍ଷରୁ ୧୪୪ ଧାରା ଲାଗୁ ହୋଇଥିବା ସୂଚନା ମିଳିଛି ।
କୋଭିଡ୍ ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ୭ଟି ଟ୍ରେନ୍ ଅଟକୁଥିଲା । ତେବେ କୋଭିଡ୍ ସମୟରେ ଏହାକୁ ବାତିଲ୍ କରାଯାଇଥିଲା । ଏବେ କୋଭିଡ୍ ପରେ ସେଗୁଡ଼ିକର ପୁନଃ ରହଣି କାର୍ଯ୍ୟକାରୀ କରାଯାଉ ନାହିଁ । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାତାୟାତ ପାଇଁ ବେଲପାହାଡ଼ ଓ ଲଖନପୁର ଏବଂ ଏହାର ଆଖପାଖ ଅଂଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଆଉ ୨ଟି ଏକ୍ସପ୍ରେସ ଟ୍ରେନ୍ ରହଣି ପାଇଁ ମଧ୍ୟ ଦାବି ହେଉଛି । ଏଥିନିମନ୍ତେ ଏହି ଆନ୍ଦୋଳନର ଡାକରା ଦିଅଯାଇଥିବା ଫୋରମ କର୍ମକର୍ତା ସୂଚନା ଦେଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।