ଭୁବନେଶ୍ୱର , ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି ।
ରାଜ୍ୟ ବିଜେପି ସଭାପତି ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଛନ୍ତି, ‘ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିକି ରହିଛି । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢ଼ିବ । ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, ତାକୁ ୨୪ରେ ପରିବର୍ତନ କରାଯିବ । ଲୋକେ ବିକଳ୍ପ ସରକାର ଅପେକ୍ଷାରେ ଥିବା ବେଳେ ଆମେ ସେହି ବିକଳ୍ପ ଦେବୁ । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ନୂଆ ବିଜେପି ସଭାପତି ।
ମନମୋହନ ସାମଲ ୧୯୫୯ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । କଳା ଏବଂ ଓକିଲାତିରେ ସ୍ନାତକ ଶ୍ରୀ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ଏବିଭିପିର ସଦସ୍ୟ ହୋଇଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ସେ ୨୦୦୪ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମନ ମୋହନ ସାମଲ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ବିଜେପି-ବିଜେଡି ମେଂଟ ସରକାରରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ରାଜସ୍ୱ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଳାଇଥିଲେ ।
ମନମୋହନ ବିଜେପିର ରାଜ୍ୟ ମୁଖିଆ ହେବା ପରେ ବିଜେପି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି । ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ମନମୋହନ ସାମଲ ଜଣେ ତୃଣମୂଳ ସ୍ତରର ନେତା । ତାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ନିମନ୍ତେ ଦଳକୁ ମଜବୁତ କରାଯିବ । ସୁନୀଲ ବଂଶଲ ପ୍ରଭାରୀ ଦାୟିତ୍ୱ ନେବା ପରେ ଦଳର ନବକଳେବର କରାଯାଉଛି । ସରକାର ଗଠନ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ । ବିଜେଡି ପଛୁଆ ବର୍ଗର କାର୍ଡ ଖେଳିବାକୁ ଚେଷ୍ଟା ଚଳାଇଥିବା ବେଳେ ମନମୋହନ ସାମଲ ଜଣେ ପଛୁଆ ବର୍ଗର ନେତା । ସେ ଭଲ ଭାବେ ଦାୟିତ୍ୱ ନିର୍ବାହ କରି ପାରିବେ । ମନମୋହନଙ୍କ ନେତୃତ୍ୱରେ ଦଳ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ଓ ବିଜୟ ହାସଲ କରିବ ବୋଲି ଆଶା ରଖିଛୁ ।