କନ୍ଧମାଳ- ବଣପାହାଡ଼ ଘେରା ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ରହିଛି ପୁତୁଡି ଜଳପ୍ରପାତ । ଫୁଲବାଣୀ ସହର ଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ ଏହି ଜଳପ୍ରପାତ । ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରର ହଜାର ହଜାର ପର୍ଯ୍ୟଟକ ପ୍ରାକୃତିକ ପରିବେଶ ଉପଭୋଗ କରିବାସହ ବଣଭୋଜି କରିବାକୁ ଆସିଥାନ୍ତି । ତେବେ, ଏଠାକୁ ଯିବାଲାଗି ଭଲ କିମ୍ବା ସ୍ଥାୟୀ ରାସ୍ତାଟିଏ ନଥିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନଥିବା ପର୍ଯ୍ୟଟକଙ୍କୁ ନିରାଶ କରିଛି । ସ୍ଥାୟୀ ରାସ୍ତା, ବିଦ୍ୟୁତ ଆଲୋକ, ପାନୀୟଜଳ ବ୍ୟବସ୍ଥା, ରହିବା ପାଇଁ ଘର ଆଦି ନାହିଁ । ତଥାପି ବଣଭୋଜି କରିବାସହ ପ୍ରାକୃତିକ ମନୋରମ ପରିବେଶ ଓ ପାଣି ପଡିବାର ଶବ୍ଦ, ପକ୍ଷୀଙ୍କ ରାବ ଆଦିକୁ ମନଭରି ଉପଭୋଗ କରିବାଲାଗି ଏହା ପ୍ରକୃଷ୍ଟ ସ୍ଥାନ । ସୁଉଚ୍ଚରୁ ପଥର ଚଟାଣ ଉପରେ ପଡୁଥିବା ସାଲକୀ ନଦୀର ଜଳର ଦୃଶ୍ୟ ଯେକୋ÷ଣସି ପର୍ଯ୍ୟଟକଙ୍କୁ କିଛିକ୍ଷଣ ପାଇଁ ବାନ୍ଧି ରଖିଥାଏ । ଫଳରେ ଏହାକୁ ଦେଖିବାଲାଗି ବର୍ଷସାରା ଏଠାକୁ ଲୋକମାନଙ୍କ ସୁଅ ଛୁଟିଥାଏ । ତେବେ, ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ମାନେ ଆସିଥାନ୍ତି ଏଠାକୁ ।
ସେହିପରି ଫୁଲବାଣୀରୁ ଅତି ନିକଟରେ ପକଡାଝର ଜଳପ୍ରପାତ, ଉର୍ମାଗଡ ଓ କାଟ୍ରାମାଲ ଜଳପ୍ରପାତ ମଧ୍ୟ ରହିଛି । ପର୍ଯ୍ୟଟକ ମାନେ ବିଶେଷକରି ଫୁଲବାଣୀ ସହରରେ ଥିବା ହୋଟେଲରେ ରହି ଏସବୁ ଅଂଚଳକୁ ବୁଲିବାକୁ ଆସିଥାନ୍ତି । ତେବେ, ରାସ୍ତା ସମସ୍ୟା ଯୋଗୁଁ ବିଳମ୍ବ ହୋଇଥାଏ । ନଚେତ୍ ଗୋଟିଏ ଦିନରେ ଏସବୁ ଦେଖିହେବ । ସବୁ ଗୁଡିକ ଘଂଚ ଜଙ୍ଗଲ ଆଉ ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି । ଏସବୁ ପର୍ଯ୍ୟଟନ ସ୍ଥଳୀ ଗୁଡିକର ରକ୍ଷଣାବେକ୍ଷଣ କରିବାସହ ପାନୀୟଜଳ, ବିଦ୍ୟୁତ ଓ ଗମନା ଗମନର ସୁବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି । ଏସବୁ ସମସ୍ୟା ସମାଧାନ ହୋଇପାରିଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଜିଲ୍ଲାକୁ ଆସନ୍ତେ ଆଉ ଜିଲ୍ଲାର ଅର୍ଥନୈତିକ ବିକାଶ ସମ୍ଭବ ହୁଅନ୍ତା ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଉଛି ।