
ଭୁବନେଶ୍ୱର, ମହାନଦୀ ପ୍ରସଙ୍ଗରେ ସରକାରୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ହେଲେ ଏହି ମାମଲାରେ ବିଜେଡି ସରକାରର କୌଣସି ଆନ୍ତରିକତା ନାହିଁ । ଏହି ମାମଲାରେ ବିରୋଧୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ସରକାର ଆଲୋଚନା କାହିଁକି କରୁ ନାହାନ୍ତି ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।
ମହାନଦୀ ପ୍ରସଙ୍ଗରେ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ହେବା ପରେ ଗୃହ ବାହାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ମାଝୀ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗରେ ବିଡେଜି ସରକାରର କୌଣସି ପ୍ରକାର ଆନ୍ତରିକତା ନାହିାଁ ଗତ କାଲି ସରକାରୀ ଦଳର ବିଧାୟକ ମାନେ ଏହି ମାମଲାକୁ ଶୂନ୍ୟକାଳରେ ଉଠାଇ ବିଭାଗୀୟ ମନ୍ତ୍ରୀଙ୍କୁ ବକ୍ତବ୍ୟ ଦେବାକୁ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ଗତ କାଲି ମଧ୍ୟ ବିରୋଧୀ ଦଳର ନେତା ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ ଏହି ପ୍ରସଙ୍ଗରେ ସମ୍ପୂର୍ଣ ଚର୍ଚା କରିବାକୁ ଆମେ ପ୍ରସ୍ତୁତ ଅଛୁ । ହେଲେ ଆଜି ମୋସନ ଆକାରରେ ଏହି ମାମଲାରେ ଚର୍ଚାକୁ ସେମାନେ ବିରୋଧ କରୁଛନ୍ତି । ଏଥିରୁ ସ୍ପଷ୍ଟ ଯେ ସେମାନଙ୍କର ମହାନଦୀ ପ୍ରସଙ୍ଗରେ କୌଣସି ଆନ୍ତରିକତା ନାହିଁ ।