
ବୌଦ୍ଧ, ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା ଜାମୁଖୋଲ ଗ୍ରାମର ଦୁଇ ଶିକାରୀଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ। ବଜ୍ରକାପ୍ତା ଡିଲ ବେଳେ ମାଡି ବସିଲା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ । ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ପଲାଶ ନିକଟରେ ଚାଲିଥିଲା ବଜ୍ରକାପ୍ତା ବିକ୍ରି ଉଦ୍ୟମ । ଖବର ପାଇ ବନବିଭାଗ ଓ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ କରାଯାଇଥିଲା ମିଳିତ ଚଢ଼ଉ ।
ମିଳିଥିବା ସୂଚନା ପ୍ରକାରେ, ଜବତ ହୋଇଥିବା ଦୁଇଟି ବଜ୍ରକାପ୍ତା ମଧ୍ୟରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ବଜ୍ରକାପ୍ତା ରହିଛି । ୧୩ ଓ ୧୦ କେଜି ଓଜନର ଏହି ଦୁଇଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଛି। ଶିକାରି ଦୁଇ ଜଣ ହେଲେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜାମୁଖୋଲ ଗ୍ରାମର ଉତ୍ସବ କହଁର ଓ ପ୍ରଶାନ୍ତ ବେହେରା ବୋଲି ସ୍ପେଶାଲ ଟାସ୍କ ଫୋର୍ସ ସୂଚନା ଦେଇଛି । ଦୁଇ ଜଣ ଶିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ । ଅନ୍ୟପଟେ ଦୁଇ ବଜ୍ରକାପ୍ତା ସୁରକ୍ଷିତ ଅଛନ୍ତି ତାଙ୍କୁ ଜଙ୍ଗଲରେ ଛଡାଯିବ ବୋଲି ବୌଦ୍ଧ ଡିଏଫଓ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ଗତ ରବିବାର ବୌଦ୍ଧ ହରଭଙ୍ଗାରୁ ଗୋଟିଏ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଥିଲା ଏସଟିଏଫ। ଏହା ପୂର୍ବରୁ ଦୁଇ ଥର ବୌଦ୍ଧ ଜିଲାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ସମ୍ପୃକ୍ତ ଶିକାରୀମାନଙ୍କୁ ଗିରଫ କରିଥିଲା ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ। ତେବେ ଜିଲ୍ଲାରେ ବନ୍ୟଜନ୍ତୁ ଶିକାରର ଏକ ବିରାଟ ରାକେଟ କାମ କରୁଥିବା ନେଇ ଜୋର ଚର୍ଚା ହେଉଛି ।