କନ୍ଧମାଳ- ଆଜି କନ୍ଧମାଳ ଜିଲା ବାଲିଗୁଡାଠାରେ ଥିବା ପାତ୍ରସାହିରେ ରହୁଥିବା ବାଲିଗୁଡା ଅଂଚଳର ଜଣେ ଜଣାଶୁଣା ସୁଚନା ଅଧିକାର କର୍ମୀ ଅଭିରାମ ପଣ୍ଡା(୫୦)ଙ୍କୁ ତାଙ୍କ ଘରୁ ଡାକି ଘର ଆଗରେ ହିଁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ । ଏହି ଘଟଣା ପରେ ବାଲିଗୁଡା ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ବାଲିଗୁଡାରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଗାଡିମୋଟର ସବୁକୁ ବନ୍ଦ କରିଦେଇଥିଲେ ଅଂଚଳବାସୀ । ତେବେ ବାଲିଗୁଡା ଉପଖଣ୍ଡ ପୋଲିସ ଅଧିକାରୀ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ସ୍ଥିତି ସାମାନ୍ୟ ହୋଇଥିଲା ।
ଆଜି ସକାଳ ପ୍ରାୟ ୭.୩୦ ମିନିଟ ସମୟରେ ବାଲିଗୁଡାର ପାତ୍ରସାହିରେ ଅଭିରାମ ପଣ୍ଡାଙ୍କ ଘର ଆଗରେ ଗୋଟିଏ ବାଇକରେ ମୁଖା ଲଗାଇ ଦୁଇଜଣ ଯୁବକ ପହଂଚି ଅଭିରାମଙ୍କୁ ଡାକିଥିଲେ ଏବଂ ହଠାତ ତାଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ । ଗୁଳିଟି ତାଙ୍କ ଛାତିରେ ବାଜିଥିଲା । ଫଳରେ ସେ ସେଠାରେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ନେଇ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ମାନସ ରଞ୍ଜନ ବାରିକ ସେଠାରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ୧୮୮/୧୯ ରୁଜ୍ଜୁ କରି ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଅପରାଧି ମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । ତେବେ ତାଙ୍କୁ କାହିଁକି ଏବଂ କିଏ ହତ୍ୟା କରିଛି ତାର କୌଣସି ସୁରାକ ପୋଲିସ ପାଇନାହିଁ । ମୃତ ଅଭିରାମ ବାଲିଗୁଡା ଅଂଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ ଏବଂ ସେହି ଅଂଚଳର ସୂଚନା ଅଧିକାର କର୍ମୀ ଭାବରେ ସୁପରିଚିତ ଥିଲେ ।