ଭୁବନେଶ୍ୱର,ପୂର୍ଣ୍ଣିମା ରାତି । ଜ୍ୟୋତ୍ସ୍ନା ବିଧୌତ ରୂପାଲି କିରଣରେ ବିଛୁରିତ ହୋଇଯାଇଛି ଛୋଟିଆ ପଲ୍ଲୀ ଗାଁଟି । ସମୟ ପ୍ରାୟ ରାତ୍ର ୯ ଘଟିକା । ବିଷର୍ଣ୍ଣ ମନରେ ବସିଥାଏ ନବ ବିବାହିତା ବଧୂ ଶିଳ୍ପା ଗଡକରି ।୬ ମାସ ହେବ କଳ୍ପକୁ ଭଲ ପାଇ ସିନା ଏଠାକୁ ଆସିଛି, କିନ୍ତୁ ସହରୀ ସଭ୍ୟତାର ଛାପ ମନରୁ ଲିଭି ନାହିଁ । କଥା କଥା କେ ତୁ.. ତା…ରେ…ରା…। ଇଂରାଜୀ ଶବ୍ଦର ପ୍ରୟୋଗ । ଉଗ୍ର ଆଧୁନିକା ବେଶ ନାଇଟ୍, ଡ୍ରେସ ପରିଧାନ ବ୍ୟତୀତ ଲୁଗା ଦେଖିବା ସାତ ସପନ ।
ଠିକ୍ ଏହି ସମୟରେ ପୋଖରୀ ଆଡୁ ଭାସି ଆସିଲା ଢ଼ୋଲର ଉନ୍ମାଦନା ଶବ୍ଦ ସହିତ ମହୁରୀର ସଙ୍ଗୀତର ମୂର୍ଚ୍ଛନା । ଘରୁ ଦାଣ୍ଡକୁ ବାହାରିଗଲେ ୭୦ବର୍ଷୀୟା ଅଶିକ୍ଷିତା ବୁଢୀ ଜେଜେମା । ପଛରେ ତାଙ୍କର ଉଗ୍ର ଆଧୁନିକା ନାତୁଣୀ ବୋଝୁ ଶିଳ୍ପା ।
ଶିଳ୍ପା କହିଲା, “ମାଆ ଆଜି କଣ କି? ବାଜା ବାଜୁଛି । ପିଲାମାନେ ନଡ଼ା, ପାଳ ପନିପରିବା ନେଉଛନ୍ତି ? ଜେଜି କହିଲେ, “ଆଜି ପରା ଅଗି ପୋଡା ଅଗିନି ପୁନେଇ । ପିଲାମାନେ ଅଗିନି ଦେବାତାଙ୍କୁ ଗାଁର ମଙ୍ଗଳ ପାଇଁ ପୂଜା କରିବେ । ଏହା ମୋ ଗାଁ ବରପୁଟର ଫଗୁଣର ଫଗୁଖେଳର ପ୍ରଥମ ସୋପାନ । ” ବୋହୁଟିକୁ ଜେଜେ ମାଆର କଥା ଗୁଡାକ କେମିତି ଅଡ଼ୁଆ ଅଡୁଆ ଲାଗିଲା । କହିଲା, “ଜେଜେ ମାଆ,ଫଗୁଣର ଫଗୁଖେଳ ପୁଣି କଣ ? “
ଜେଜେ ମାଆ ତାର କାହାଣୀ ଆରମ୍ଭ କଲା । କେଉଁ ପୁରାତନ କାଳରୁ ମୋ ଗାଁ ମନ୍ଦିର ମାଳିନୀ ବରପୁଟର ପୂର୍ବପୁରୁଷମାନେ ଯେଉଁସବୁ ନୈସର୍ଗିକ ସୁଷମାର ଗୁରୁ ଚିତ୍ରକଳା ଓ ଆଧ୍ୟାତ୍ମିକର ରଜ୍ଜୁ ସିଞ୍ଚନ କରି ଯାଇଛନ୍ତି, ତାହା ଏବେ ମହାଦ୍ରୁମରେ ପରିଣତ ହୋଇଯାଇଅଛି । ବୁଢୀ ତାର ନାତୁଣୀକୁ ଗାଁର ପରମ୍ପରାକୁ କହି ଚାଲିଛି ।
ଶିବରାତ୍ରି ଆସିଛି । ବୁଢୀ ଉପବାସ ରହି ଜାଗର ଜାଳିବା ପାଇଁ ବାହାରିଛି । ଗାଁର ମହକ ଜାଣିବା ପାଇଁ ଶିଳ୍ପା ମଧ୍ୟ ଯାଇଛି ଶିଵ ମନ୍ଦିରକୁ କୋଳାହଳ ପୂର୍ଣ୍ଣ ପରିବେଶ । ବରପୁଟ ,ପଥୁରୀପଡ଼ା, ପଶାଣିଆ ଆଦି ଆଖପାଖ ଗ୍ରାମ ର ଲୋକମାନଙ୍କର ପ୍ରବଳ ଭିଡ଼ । ସଂକୀର୍ତ୍ତନ ପ୍ରବଚନ ଆଦି କାର୍ଯ୍ୟକ୍ରମ ଦେଖି ଶିଳ୍ପାକୁ ନୂଆ ନୂଆ ଲାଗିଛି ।
ଦୁଇଦିନ ପରେ ଗାଁ ଦାଣ୍ଡରେ ହରିବୋଲ ହୁଳହୁଳି ସହିତ ସଂକୀର୍ତ୍ତନର ସ୍ଵର । ବୋହୁଟି ଦାଣ୍ଡ ଘରକୁ ଯାଇଛି। ଜେଜେ ମାଆକୁ ପଚାରିଲା, “ମାଆ, ଏଇଟା ପୁଣି କଣ ? ବୁତୀ ନରମ ସ୍ବରରେ କହିଲା, “ଆମ ଗାଁ ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ରାମଚରିତ ମାନସ ନବାହ୍ନ ପାରାୟଣ ୯ ଦିନ ଧରି ଚାଲିବ । ଆଜି ପୁରୁଷ ଓ ମହିଳାମାନଙ୍କ ଦ୍ୱାରା ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହେଉଛି। ପ୍ରତ୍ୟେହ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସ ଗ୍ରନ୍ଥ ପଠନ କରାଯିବ ଏବଂ ସନ୍ଧ୍ୟା ୮ ଘଟିକାରେ ପ୍ରବଚକମାନଙ୍କଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ହେବ । ଶିଳ୍ପା ମାଆ ସାଙ୍ଗରେ ପ୍ରତିଦିନ ପ୍ରବଚନ ଶୁଣି ବାକୁ ଯାଇଛି । ରାମ ରସରେ ନିଜକୁ ତଲ୍ଲିନ କରିଦେଇଛି । ପ୍ରତ୍ୟେହ ପ୍ରସାଦ ସେବନ ତାର ମନରେ ଶାଶ୍ଵତ ପ୍ରେମର ନିର୍ଝରିଣୀ ପ୍ରବାହିତ ହୋଇଛି ।
ପାରାୟଣ ପରଦିନ ସକାଳୁ ବ୍ଳକର ଭେଣ୍ଡିଆ ଟୋକାମାନେ ଖଣ୍ଡେ କାଗଜ ଧରି ଏ ଘର ସେ ଘର ବୁଲୁଛନ୍ତି । ଶିଳ୍ପା ଜେଜମାଆକୁ ପଚାରିଲା, “ମାଆ, ପାରାୟଣ ତ ସରିଗଲା। ଏହି ପିଲାମାନେ କଣ ଚାନ୍ଦା ମାଗୁଛନ୍ତି ?” ଜେଜ ମାଆ କହିଲେ, “ତୁ ଜାଣିନୁ ଲୋ ମାଆ । କାଲିଠାରୁ ତିନିଦିନ ଧରି ଦୋଳ ପର୍ବ ପାଳନ କରାଯିବ । ଆମ ଗାଁର ବଡ ପର୍ବ । ବନ୍ଧୁ ମିଳନର ପର୍ବ । ଯିଏ ଯେଉଁଠି ଥାଆନ୍ତି ନା କାହିଁକି, ସମସ୍ତେ ଆସି ଏହି ପର୍ବକୁ ମନଭରି ବେଶ ଉପଭୋଗ କରନ୍ତି ।
ଠିକ୍ ଏହି ସମୟରେ ଦାଣ୍ଡ କବାଟ ଠକ୍ ଠକ୍ ଶୁଭିଲା।ବୃତୀ ଯାଇ ଦେଖେ, ତା ପୁଅ ରମୁ ଆସିଛି । ଆନନ୍ଦରେ କୋଳେଇ ନେଇଛି ମାଆ । ଶିଳ୍ପା ପଚାରିଲା, ”ତମେ ତ ଏବେ ଯାଇଥିଲା । ଅଫିସ ତମର କଣ ଛୁଟି ହୋଇଯାଇଛି । ଦିଲ୍ଲୀରୁ ଘରକୁ ଫେରି ଆସିଛ ?ରମୁ କହିଲା, “ନା,ଛୁଟିନାହିଁ । ନଆସିବା ପାଇଁ ମନକୁ ଯେତେ ବୁଝାଇଲେ ମଧ୍ୟ ମନ ବୁଝିଲା ନାହିଁ । ଗାଁକୁ ଆସିବା ପାଇଁ ମନ ଅସ୍ଥିର ହେଲା । ମାଲିକ ସାଙ୍ଗରେ ପାଟିତୁଣ୍ଡ । କହିଲା ଗାଁକୁ ଗଲେ ଦରମା ନାହିଁ । ମୁଁ କହିଲି ନ ମିଳୁ । ମାଲିକ କହିଲା ଚାକିରି ମିଳିବ ନାହିଁ । ମୁଁ କହିଲି ମୋ ଗାଁର ସାଙ୍ଗସାଥି, ବନ୍ଧୁମିଳନ ଆଗରେ ଏ ଚାକିରି ଛାର । ମୁଁ ଚାଲିଲି । “
ଗଉଡ ପୁନେଇ ସନ୍ଧ୍ୟା । ବିଭିନ୍ନ ଅଚିହ୍ନା ଲୋକଙ୍କୁ ଦେଖୁଥାଏ ଶିଳ୍ପା । ବୀର ବାଦ୍ୟ ସହ ଗଉଡ ପୁଅମାନଙ୍କର ବାଡି ଖେଳ ବେଶ ରୋମାଞ୍ଚଙ୍କର ଥିଲା । ବୄଷଭ, ବୁଢା ବୃତୀ,ସାପ ସାପୁଆଣୀ, ଭୂତ ଭୂତୁଣୀର ନାଚ ସହ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପ୍ରଭୁ ମଦନ ମୋହନ ଓ ପ୍ରଭୁ ବାଲୁଙ୍କେଶ୍ଵର ଦେବ ମୋ ଗାଁ ପରିଭ୍ରମଣ କରୁଛନ୍ତି। ନାଚ, ଗୀତ, ହରିବୋଲ ହୁଳହୁଳି ଓ ଆତସବାଜିରେ ମୋ ଗାଁ କମ୍ପି ଉଠୁଥାଏ। ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ ଶିଳ୍ପା । ରାତ୍ର ୧୧ଘଟିକା ସମୟରେ ରମୁ ବାବୁଙ୍କ ସାଙ୍ଗରେ ଯାତ୍ରା ଦେଖିବାକୁ ଶିଳ୍ପା ଯାଇଛି।
ରମୁ ବାବୁଙ୍କ ମୋବାଇଲକୁ ଏକ ମେସେଜ୍ ଆସିଲା । ପବିତ୍ର ଦୋଳଯାତ୍ରାକୁ ନିଶା ମୁକ୍ତ କରିବାର ପ୍ରୟାସ । ଆମ ଗାଁର ସବୁ ବ୍ଲକର ସଭ୍ୟ, ବୁଢା ଠାରୁ ଟୋକା ପର୍ଯ୍ୟନ୍ତ ସମସ୍ତେ “ମୋ ଗାଁ “ଗ୍ରୁପ ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିଥାନ୍ତି । ଶିଳ୍ପା ଶୁଣି ନିଜକୁ ଅଜଣା ରାଇଜର ଏକ ପ୍ରଜାପତି ମନେ କଲା । ଦୋଳ ପୂର୍ଣ୍ଣମୀ ଦିନ ମଧ୍ଯ ସେହିପରି ବାଲୁଙ୍କେଶ୍ଵର, ମଦନମୋହନ ଦେବଙ୍କ ସହ ଗୋପିନାଥ ଦେବଙ୍କ ଶୋଭାଯାତ୍ରା ଯାତ୍ରାକୁ ଦ୍ଵିଗୁଣିତ କରିଥାଏ । ପଟୁଆଳ ସହିତ ଫଗୁ ଖେଳ ବେଶ ରୋମାଞ୍ଚକର ହୋଇଥାଏ । ଡୋ…ଡାହାଙ୍ଗି…ତୋ … ଡାହାଙ୍ଗି ଶବ୍ଦର ତାଳେ ତାଳେ ବୃଷଭର ନାଚ । କି ଅପୂର୍ବ ସୌନ୍ଦର୍ଯ୍ୟର ସମାହାର । ଏ ସବୁ ଦେଖି ଶିଳ୍ପା ନିଜକୁ ନିଜେ ଆୟତ କରିପାରିଲା ନାହିଁ ।
ପରଦିନ ହୋଲିର ପର୍ବ । ଡୋ ..ଡ଼ାହାଙ୍ଗି…ଡୋ … ଡାହାଙ୍ଗିର ଶବ୍ଦ ।ରାଜା, ରାଣୀ ବେଶ ଏବଂ ମନ୍ତ୍ରୀର ନିର୍ଦ୍ଦେଶ ଓ ପରିହାସ ରେ ହୋଲିର ମାହାଲ I ରଙ୍ଗବେରଙ୍ଗର ପୋଷାକ ପରିଧାନ ସହିତ ମାତୃଭୂମିର ମମତାରେ ବରପୁଟ ଗ୍ରାମବାସୀ ନିଜକୁ ହଜାଇ ଦେଇଛନ୍ତି । ଫଗୁଣର ଫଗୁଖେଳରେ ହଜିଯାଇଛନ୍ତି ବରପୁଟ ଗ୍ରାମବାସୀ ।
ହଜି ଯାଇଛି ଉଗ୍ର ଆଧୁନିକା ନାରୀ ଶିଳ୍ପା ଗଡକରୀ । ହଜିଯାଇଛି ତାର ଅହଙ୍କାର । ମାଟିରେ ମିଶିଯାଇଛି ତାର ଉଚ୍ଚ ଶିକ୍ଷା । ଧୂଳିସାତ ହୋଇଯାଇଛି ତାର ଗର୍ବ । ମାଟି ମାଆକୁ ସମ୍ମାନ ଜଣାଇ ଉଚାରଣ ଆଚାରଣକୁ ପରିବର୍ତ୍ତନ କରି ଏକ ଆଦର୍ଶ ବୋହୁର ଶପଥ ନେଇଛି ଶିଳ୍ପା । ଭୁଲି ଯାଇଛି ତାର ସହର ସଭ୍ୟତାକୁ । ମନେ ମନେ ଶିଳ୍ପା କହି ଚାଲିଥିଲା, “ମାଟି ମାଆ ତୋତେ ଶହେ ସଲାମ “
ସତରେ ମୋ ଗାଁ କେତେ ମହାନ । ମୋ ପରମ୍ପରାକୁ କୋଟି ପ୍ରଣାମ । ମୋ ଗାଁ ଯୁବକମାନଙ୍କୁ ଶତ ଧନ୍ୟବାଦ । ସୁନ୍ଦର ମୋ ଗାଁ ଫଗୁଣ ମାସ । କି ସୁନ୍ଦର ମୋ ଗାଁ” ଫଗୁଣର ଫଗୁଖେଳ” ।
ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି
ମୋ ଗାଁ ଗୁପ୍ , ବରପୁଟ, ବାଙ୍କୀ, କଟକ