-
ବାଚସ୍ପତି କହିଲେ ନୋଟିସକୁ ପରୀକ୍ଷା ନୀରିକ୍ଷା କରିବା ପରେ ଦେବି ଅନୁମତି
ଭୁବନେଶ୍ୱର,କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସକୁ ମୁଭ କରିବାକୁ ନ ଦେବାକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ମଧ୍ୟ ନରସିଂହ ମିଶ୍ରଙ୍କୁ ଏହାକୁ ମୁଭ କରିବାକୁ ଦେବା ଉଚିତ ବୋଲି କହିଥିଲେ । ତେବେ ବାଚସ୍ପତି କହିଥିଲେ ଯେ ସେ ନୋଟିସ ପାଇଛନ୍ତି । ନୋଟିସକୁ ପରୀକ୍ଷା ନୀରିକ୍ଷା କରିବା ପରେ ସେ ଏହାକୁ ମୁଭ କରିବାକୁ ଅନୁମତି ଦେବେ । ଆଜି ଏହି ପ୍ରସଙ୍ଗକୁ ନେଇ ଗୃହରେ କିଛି ସମୟ ଧରି ଉତେଜନାପୂର୍ଣ ପରିସ୍ଥିତି ଉତ୍ପନ୍ନ ହୋଇଥିବା ଦେଖା ଯାଇଥିଲା ।
ପ୍ରଶ୍ନକାଳ ସରିବା ମାତ୍ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଡାକିଥିଲେ । ନରସିଂହ ମିଶ୍ର କିଛି କହିବା ପୂର୍ବରୁ ବାଚସ୍ପତି କହିଥିଲେ ଯେ ନରସିଂହ ମିଶ୍ର ଦେଇଥିବା ସ୍ୱାଧିକାର ଭଙ୍ଗ ନୋଟିସ ସମ୍ପର୍କିତ ପତ୍ର ସେ ପାଇଛନ୍ତି । ନିୟମ ଅନୁସାରେ ଗୋଟିଏ ଦିନ ପୂର୍ବରୁ ଏହା ଦେବା କଥା । ତେଣୁ ସେ ଏହାକୁ ଅଧ୍ୟୟନ କରିବା ପରେ ଏହାକୁ ମୁଭ କରିବାକୁ ଅନୁମତି ଦେବେ ।
ଏହାକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଥିବାକୁ ତାଙ୍କ ସହ ଏପରି ଅନ୍ୟାୟ କରାଯାଉଛି । ଏହା ପୂର୍ବରୁ ମଧ୍ୟ ସେ ଏହି ଅଧିବେଶନରେ ସେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ସେତେବେଳେ କିନ୍ତୁ ବାଚସ୍ପତି ଏପରି କହି ନଥିଲେ । କେବଳ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସେ ନୋଟିସ ଆଣି ଥିବାରୁ ତାଙ୍କୁ ଏହାକୁ ମୁଭ କରିବାକୁ ଅନୁମତି ଦିଆଯାଉ ନାହିଁ । ସେ କହିଛନ୍ତି ଯେ ଗୃହରେ ସେହି ଦିନ ଏହି ସ୍ୱାଧିକାର ଭଙ୍ଗ ବିଷୟ ଉଠାଇବାର ପରମ୍ପରା ରହିଛି। ତେଣୁ ତାଙ୍କୁ ଅନୁମଦି ଦିଆ ଯାଉ । ତେବେ ବାଚସ୍ପତି କହିଥି୍ଲେ ଯେ ସେ ଏହାକୁ ଅଧ୍ୟୟନ କରିବା ପରେ ନିଶ୍ଚିତ ଭାବେ ଅନୁମତି ଦେବେ ।