ଧର୍ମଶାଳା,ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ଏନେଇ ବିିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ହେଲେ ୧୦୮ ଆମ୍ବୁଲାନ୍ସ ସେବା କେତେ କାର୍ଯ୍ୟକରୀ ତାହା ଦେଖିବାକୁ ମିଳିଛି ଯାଜପୁର ଜିଲାରେ । ଯାହାକୁ ନେଇ ଏଭଳି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି ଯାଜପୁର ଜିଲା ଧର୍ମଶାଳା ଅଂଚଳରେ । ଆମ୍ବୁଲାନ୍ସ ନ ଆସିବାରୁ ପରିବାର ଲୋକେ ଜଣେ ମହିଳା ସଡକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ମେଡିକାଲରେ ଭର୍ତି କରିବା ପାଇଁ ତାଙ୍କୁ ଏକ ଠେଲା ଗାଡିରେ ମେଡିକାଲକୁ ଆଣିବା ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି ।
ମିଳିଥିବା ସୂଚନା ମୁତାବକ,ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କୁମାରୀ ଅଂଚଳର ଅରଣ୍ୟ ଗୁଇଁଙ୍କ ପତ୍ନୀ ଗେଡି ଗୁଇଁ(୪୭) ଆଜି ଭୋର ସମୟରେ ଶୌଚ ହେବା ପାଇଁ ୧୬ ନଂ ଜାତୀୟ ରାଜପଥ ପରି ହେଉଥିଲେ । ସେହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗେଡି ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲେ । ଏହାକୁ ଦେଖି ଜାତୀୟ ରାଜପଥ କଡରେ ରହୁଥିବା ପରିବାର ଲୋକେ ଏହି ଖବର ପାଇ ୧୦୮ ଆମ୍ବୁଲାନ୍ସକୁ ଫୋନ କଲ କରିଥିଲେ । ତେବେ ପରିବାର ଲୋକେ ବହୁ ସମୟ ଅପେକ୍ଷା କରିଥିଲେ । ବହୁ ସମୟ ଅପେକ୍ଷା ପରେ ଆମ୍ବୁଲାନ୍ସ ନ ଆସିବାରୁ ଗୁରୁତର ଅବସ୍ଥାରେ ଏକ ଠେଲାରେ ପକାଇ ପରିବାର ଲୋକେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ଆମ୍ବୁଲାନ୍ସ ସେବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ପାଇଁ ପତ୍ନୀର ଜୀବନ ଗଲା ବୋଲି ଅଭିଯୋଗ କରିଛନ୍ତି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ବିକାଶ ପାଇଁ ଯାଜପୁର ଜିଲା ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ମାଳମାଳ ଯୋଜନା ସାଂଗକୁ ମନୋରଂଜନ କ୍ଷେତ୍ରରେ ଚର୍ଚ୍ଚାରେ ରହିଥିବା ଏହି ଯାଜପୁର ଆଜି ଏଭଳି ଠେଲାରେ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ବୁହା ହୋଇ ଆସିବା ଘଟଣାକୁ ନେଇ ଏବେ ସାଧାରଣରେ ଆଲୋଚନା ହେଉଛି । ମାଳମାଳ ଆମ୍ବୁଲାନ୍ସ ଠିକ୍ ସମୟରେ କାମରେ ଆସୁ ନାହିଁ । ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଘୋର ନିନ୍ଦା କରାଯାଇଛି ।