
ମାଲକାନଗିରି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲାକୁ ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ପ୍ରତ୍ୟେକ ମଙ୍ଗଳବାର ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ଟ୍ରାଫିକ ନିୟମ ପାଳନ କରିବାକୁ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମାଲକାନଗିରି ଦଣ୍ଡକାରଣ୍ୟ ଛକ ଠାରେ ଡ଼ିଏସପି ଡି. ନାୟକ ଓ ଇନିସ୍ପେକ୍ଟର ରାମଚନ୍ଦ୍ର ନାଗ, ମାଲକାନଗିରି ବାଲିମେଳା ଛକ ଠାରେ ଏସଡିପିଓ ସଚିନ ପଟେଲ ଓ ଇନିସ୍ପେକ୍ଟର ଜେ ପି ଏନ ହୋତା, ମାଲକାନଗିରି ଆଇଏମଏସ ଟି ଛକ ଠାରେ ଡ଼ିଏସପି ଏସ ପି ଭୂୟାଁ ଓ ଇନ୍ସପେକ୍ଟର ଆର ଏନ ମାଝୀ, ଓର୍କେଲ ଥାନା ଅଞ୍ଚଳରେ ଏସଡିପିଓ ଆଲେକ୍ସ କିସ୍ପୋଟିଆ ଓ ଥାନା ଅଧିକାରୀ ଜନ ଖଜୁ୍ର, ମାଥିଲି ଥାନା ଅଞ୍ଚଳରେ ଡ଼ିଏସପି ଯଦୁନାଥ ଜେନା ଓ ଥାନା ଅଧିକାରୀ ଆର କେ ମାଝୀ, କାଲିମେଳା ଥାନା ଅଞ୍ଚଳରେ ଡ଼ିଏସପି ଆର ଏନ ପାତ୍ରଓ ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ, ଏମଭି ୭୯ ଥାନା ଅଞ୍ଚଳରେ ଥାନା ଅଧିକାରୀ ସୁନୀଲ କୁମାର ସୋରେନ, ପଡିଆ ଥାନା ଅଞ୍ଚଳରେ ଥାନା ଅଧିକାରୀ ଏ କେ ବିଷୋୟୀ, ମୋଟୁ ଥାନା ଅଞ୍ଚଳରେ ଥାନା ଅଧିକାରୀ ଅନିଲ କୁମାର ପରିଡା, ମୁଦୁଲିପଡ଼ା ଥାନା ଅଞ୍ଚଳରେ ଏସ ଆଇ ସି ଏଚ ତାଣ୍ଡିଙ୍କ ନେତୃତ୍ଵରେ ପୋଲିସ କର୍ମଚାରୀ ମାନେ ବିଭିନ୍ନ ଛକ ଗୁଡିକରେ ଯାନବାହନ ଯାଞ୍ଚ କରି ଫାଇନ ଆଦାୟ କରିଥିଲେ। ସେହିପରି ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନେତୃତ୍ଵରେ ଚିତ୍ରକୋଣ୍ଡା ଥାନାର ସମସ୍ତ ପୋଲିସ ଅଧିକାରୀ ତଥା କର୍ମଚାରୀମାନଙ୍କୁ ନେଇ ଚିତ୍ରକୋଣ୍ଡା ପଞ୍ଜାବୀ ଛକଠାରେ ଟ୍ରାଫିକ ନିୟମକୁ କଡାକଡି ପାଳନ କରାଯିବା ସହ ଲାଇସେନ୍ସ ଓ ହେଲମେଟ ଯାଞ୍ଚ କରାଯାଇ ବାଇକ୍ ଚଳାଇବା ବେଳେ ହେଲମେଟ୍ ପିନ୍ଧି ଜୀବନକୁ ସୁରକ୍ଷିତ ରଖିବାକୁ ସଚେତନତା ବାର୍ତ୍ତା ଦିଆଯାଇଛି। ଏପରିକି ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।
ଏହି ଅବସରରେ ଗାଡ଼ି ଚାଳକଙ୍କୁ ଅଟକାଇ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା। ଏପରିକି ଅମାନିଆଙ୍କୁ ସତର୍କ କରି ତ୍ରୁଟି ସୁଧାରିବାକୁ ପରାମର୍ଶ ସହ ଫାଇନ କଟାଯାଇଥିଲା। ଚିତ୍ରକୋଣ୍ଡା ଅଞ୍ଚଳକୁ ଦୁର୍ଘଟଣାମୁକ୍ତ କରିବାକୁ ପୋଲିସ ଅଧିକାରୀଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।