ରାଉରକେଲା, ସୁନ୍ଦରଗଡ ଜିଲ୍ଲା କୋଇଡାର ବିଡିଓ ପଲ୍ଲବୀ ରାଜଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେବା ସହ କଥା ବିଧାନସଭାରୁ ନେଇ କୋଇଡା ଯାଏ ଉଠୁଚି ପଡୁଛି। ବିଡିଓ ଲୋକଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହ ନାନା ପ୍ରକାର ଦୁର୍ନିତୀରେ ଲିପ୍ତ ଥିବା ନେଇ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଅଭିଯୋଗ କରି ଆଜି ପୁଣି କୋଇଡାକୁ ୧୨ ଘଂଟା ଅଚଳ କରି ଅର୍ଥନୈତିକ ଅବରୋଧ କରିଛନ୍ତି। ସେପଟେ ବିଡିଓଙ୍କୁ ଏନେଇ ତାଙ୍କ ପ୍ରତିକ୍ରିୟା ପଚରା ଜିବାରୁ ସେ ଫୋନ ରିସିଭ କରି କାଟିଦେଉଥିବା ଜଣାପଡିଛି । ଓଏଏସ ଅଫିସର ପଲ୍ଲବୀ ରାଜ ଯିଏ କି ସୁନ୍ଦରଗଡ ଜିଲ୍ଲାର ଅନ୍ୟ କେତେକ ବ୍ଲକରେ ରହି ଏହିଭଳି ବେଶ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ୩ ବର୍ଷରୁ ଅଧିକ ସମୟ ଧରି କୋଇଡାରେ ରହି ଚର୍ଚ୍ଚାରେ ରହିଛନ୍ତି । କୋଇଡାରେ ନିଜ ମା ଓ ଭାଇଙ୍କ ନାମରେ ଥିବା ଠିକା ଲାଇସେନ୍ସ ମାଧ୍ୟମରେ ସେ କୋଇଡାରେ ଠିକାଦାରୀ କରିବା ସହ ଜଣେ ଜୁନିଅର ଇଁଜିନିୟର ପାଣିଗ୍ରାହୀ ବାବୁଙ୍କୁ ଧରି ଏହି ସବୁ କାରବାର ଚଳାଇଥିବା ନେଇ ବେଶ ଆଲୋଚନା ରହିଥିଲା । ସେତେବେଳେ ତାଙ୍କ ସ୍ଵାମୀ ପଡୋଶୀ ଜିଲ୍ଲା କେଉଁଝରର ବଡବିଲ ମୁନିସପାଲିଟିରେ ଥିବାରୁ ହୁଏତ ପାଖାପାଖି ଉଭୟ ରହିବା ଲାଗି ସରକାର ଏମାନଙ୍କୁ ଏଭଳି ଯାଗାରେ ରଖିଛନ୍ତି ବୋଲି କୁହାଯାଉଥିଲା। ତେବେ ଆକି କାଲି ତାହା ମଧ୍ୟ କୁଆଡେ ଦରକାର ପଡୁନି ବୋଲି ଆଲୋଚନା ଚାଲିଛି । ତେବେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯାହା ଅଭିଯୋଗ କରୁଛନ୍ତି ବିଡିଓ ଲୋକ ମାନଙ୍କୁ ବେଖାତିର କରିବା ସହ ଦୁର୍ବ୍ୟବହାର କରୁଛନ୍ତି, ଲୋକ ପ୍ରତିନିଧି ମାନେ ଗଲେ ସେ ଅଫିସ ଛାଡି ଚାଲିଯାଉଛନ୍ତି, ଏପରିକି ଖୋଦ ଅଂଚଳର ବିଧାୟକଙ୍କୁ ମଧ୍ୟ ଖାତିର କରୁନାହାନ୍ତି, ଲୋକଙ୍କ ସମସ୍ୟା ନେଇ ଗଲେ ସେ ଶୁଣୁ ନାହାନ୍ତି, ଏଭଳି କ୍ଷେତ୍ରରେ ସେ ଜଣେ ଲୋକ ପ୍ରତିନିଧି ହୋଇ ଲୋକଙ୍କୁ କି ଉତର ଦେବେ ଓ ଲୋକଙ୍କ ସମସ୍ୟା କିପରି ସମଧାନ ହେବ ସେ ନେଇ ସେ ପ୍ରଶ୍ନ କରିଛନ୍ତି । ତେଣୁ ସେ ଏହାକୁ ନେଇ ଆଠଦିିନ ତଳେ ବିଡିଓ ଅଫିସ ଆଗରେ ଧାରଣା ଦେବା ପରେ ବିଧାନସଭାରେ ଜିରୋ ଆୱାରରେ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସରକାର ଏନେଇ କୌଣସି ପଦକ୍ଷେପ ନନେବାରୁ ବିଡିଓଙ୍କ ବଦଳି ଦାବି କରି ଆଜି କୋଇଡାକୁ ଅର୍ଥନୈତିକ ଅବରୋଧ କରିବା ସହ ୧୨ ଘଂଟିଆ ବନ୍ଦ ପାଲନ କରିଛନ୍ତି । ଏହାଦ୍ଵାରା କୋଇଡା ଅଂଚଳରୁ ଲୁହାପଥର ପରିବହନ ସଂପୁର୍ଣ ବନ୍ଦ ରହିବା ସହ ଦୋକାନ ବଜାର, ସରକାରୀ ଅଫିସ, ବ୍ୟାଙ୍କ ଆଦି ବନ୍ଦ ରହିଛି । କେବଳ ଜନସାଧାରଣଙ୍କ ଯାତାୟତ ଲାଗି ବସ ଚଳାଚଳ ଅବ୍ୟାହତ ରହିଥିବା ଜଣାପଡିଛି ।
ଏନେଇ ବିଡିଓ ପଲ୍ଲବୀ ରାଜଙ୍କୁ ତାଙ୍କ ମୋବାଇଲରେ ଯୋଗାଯୋଗ କରାଜିବାରୁ ସେ ଫୋନ ରିସିଭ କରି କାଟି ଦେଇଛନ୍ତି । ସେପଟେ ତାଙ୍କ ବାସଭବନକୁ ପୁଲିସ ଛାଉଣୀରେ ରଖାଯାଇଛି । ଏଭଳି ଅଚଳାବସ୍ଥାକୁ ନେଇ କୋଇଡା ସମେତ ଏହା ଉପରେ ନିର୍ଭର କରୁଥିବା ଜନତା ତିବ୍ର ପ୍ରତିକ୍ରୟା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଏଭଳି ଖେଳ ଦ୍ଵାରା କୋଇଡାକୁ ନେଇ ଚାଲୁଥିବା କଳକାରଖାନା ପରିବହନ ଆଦି ପ୍ରଭ଼ାବିତ ହେବା ସହ ଦିନ ମଜୁରିଆ ମାନେ ମଧ୍ୟ ସେମାନଙ୍କ ରୋଜଗାର ହରାଉଛନ୍ତି ଓ କୋଇଡା ଅଶାନ୍ତ ହେବାରେ ଲାଗିଛି । ତେବେ କିଛି ବୁଦ୍ଧିଜୀବୀଙ୍କ କହିବା କଥା ଯଦି ବିଡିଓ ଏଠାରେ ହରିଲୁଟ କରୁଛନ୍ତି, ବ୍ୟବହାର ଖରାପ କରୁଛନ୍ତି ତେବେ ଏନେଇ କେତେ ଥର ବିଧାୟକ ମହୋଦୟ ଭିଜିଲାନ୍ସକୁ ଲେଖିଛନ୍ତି, ବ୍ୟବହାର ଖରାପ କରୁଥିବା ନେଇ କେତେ ଥର ଥାନାରେ ଅଭିଯୋଗ କରାଯାଇଛି ? ଯଦି ଏ ନେଇ ବିଧାୟକ ଅଭିଯୋଗ କରିଛନ୍ତି ତେବେ ଭିଜିଲାନ୍ସ ଓ ପୁଲିସ କି ପଦକ୍ଷେପ ନେଇଛି ବୋଲି ପ୍ରଶ୍ନ ହେଉଛି । କାରଣ ୫-ଟି ସରକାରରେ ଏହି ବିଭାଗ ମାନେ ନିୟମ ଅନୁଶାରେ କାମ କରିବାକୁ ସରକାର କହିଛନ୍ତି । ଏନେଇ ରାଉରକେଲା ଭିଜିଲାନ୍ସକୁ ଯୋଗାଯୋଗ କରାଜିବାରୁ ଏସପି ଭିଜିଲାନ୍ସ ଏନେଇ କୌଣସି ସୂଚନା ଦେଇପାରିନାହାନ୍ତି । ଜଣେ ବିଡିଓଙ୍କୁ ନେଇ ଜନ ପ୍ରତିନିଧି ବିଧାନସଭାରୁ ନେଇ ଜିଲ୍ଲା ଯାଏ ସ୍ଵର ଉତୋଳନ କରୁଛନ୍ତି, କଥା ଦାଣ୍ଡରେ ପଡି ହାଟରେ ଗଡୁଛି, ଦୁର୍ନିତୀକୁ ନେଇ ଏଠି ଭିଜିଲାନ୍ସ ମଧ୍ୟ କିଛି କହିପାରୁ ନାହିଁ, ତେଣୁ ଏଠି କାହାର କିପ୍ରକାର ସରକାର ଚାଲିଛି କିଏ ଏଥିଲାଗି ଦାୟୀ ବୋଲି ସାଧାରଣରେ ଆଲୋଚନା ଚାଲିଛି ।