ଭୁବନେଶ୍ୱର,ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହେବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳର ବିଧାୟକ ମାନେ ହଟ୍ଟଗୋଳ କରିବା କାରଣରୁ ପ୍ରଥମାର୍ଧ ବୈଠକରେ କୌଣସି କାମ ହୋଇ ପାରି ନାହିଁ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ସ୍ଥଗିତ ରଖିଛନ୍ତି । ଏହି କାରଣରୁ ଆଜି ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆଦି କାର୍ଯ୍ୟକ୍ରମ ହୋଇ ପାରି ନାହିଁ ।
ଆଜି ସକାଳେ ଶୋକ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ହେଲେ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ମାନେ ମେଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ହେବା ପ୍ରସଙ୍ଗ ଉଠାଇଥିଲେ । ସେମାନେ ଏହି ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହି ପ୍ରସଙ୍ଗରେ ସେମାନେ ରାଜ୍ୟ ସରକାର ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିରୋଧୀ ଦଳର ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ତେବେ ଏହାର ପ୍ରଭାବ ବିରୋଧୀ ଦଳର ବିଧାୟକ ମାନଙ୍କ ଉପରେ ପଡି ନ ଥିଲା । ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।