-
ଧର୍ମାନ୍ତରିତ ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରୁ ଅଲଗା କରାଯିବାକୁ ଦାବି
-
ଜନଜାତି ସୁରକ୍ଷା ମଂଚ ଦେଲା ସୂଚନା
ଭୁବନେଶ୍ୱର, ଧର୍ମାନ୍ତରିତ ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରୁ ଅଲଗା କରାଯିବା ଦାବିରେ ଆଗାମୀ ୨୫ ମାର୍ଚ୍ଚରେ ଜନତା ମଇଦାନ ଭୁବନେଶ୍ୱରଠାରେ ଏକ ବିଶାଳ ଜନଜାତି ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶରେ ପ୍ରତି ଜିଲ୍ଲାରୁ ଜନଜାତି ଭାଇ ଭଉଣୀ ମାନେ ପାରମ୍ପାରିକ ବେଶ ଭୂଷା ଏବଂ ବାଦ୍ୟଯନ୍ତ୍ରରେ ସଜ୍ଜିତ ହୋଇ ଅଂଶଗ୍ରହଣ କରିବେ । ଜନଜାତି ସୁରକ୍ଷା ମଂଚ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜନଜାତି ସୁରକ୍ଷା ମଂଚର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ପି. ସୂର୍ଯ୍ୟନାରାୟଣ ଜନଜାତି ସୁରକ୍ଷା ମଂଚର ପ୍ରାନ୍ତ ସଂଯୋଜକ ଶକ୍ତିଦୟାଲ କିସ୍କୁ ଏବଂ ଜନଜାତି ସୁରକ୍ଷା ମଂଚ , କେନ୍ଦ୍ରୀୟ ସମିତି ସଦସ୍ୟ ଶ୍ରୀ ପବିତ୍ର କୁମାର କହଁର ଉପସ୍ଥିତ ଥିଲେ ।
ସେମାନେ କହିଥିଲେ ଯେ ଦେଶର ସମ୍ବିଧାନର ଧାରା ୩୪୧ ଅନୁସାରେ ଅନୁସୂଚିତ ଜାତିର ଲୋକମାନେ ଧର୍ମାନ୍ତରିତ ହେଲା ପରେ ଯେପରି ତାଙ୍କର ସଂରକ୍ଷଣ ସୁବିଧା ହରାଉଛନ୍ତି ଧାରା ୩୪୨ ଦ୍ୱାରା ଅନୁସୂଚିତ ଜନଜାତି ମାନଙ୍କ ପାଇଁ ସେପରି ନିୟମ ଲାଗୁ କରାଯାଇ ନାହିଁ । ଫଳରେ ଧର୍ମାନ୍ତରିତ ହେଲା ପରେ ମଧ୍ୟ ଏହି ଜନଜାତି ମାନେ ସଂଖ୍ୟାଲଘୁ ଏବଂ ଜନଜାତି ଉଭୟ ପ୍ରକାର ଲାଭ ଉପଭୋଗ କରୁଛନ୍ତି, ଯାହାଦ୍ୱାରା ମୂଳ ଧର୍ମ ସଂସ୍କୃତିର ଅନୁସରଣ କରୁଥିବା ଜନଜାତି ଚାକିରୀ, ଛାତ୍ରବୃତି ଏବଂ ସରକାରୀ ଅନୁଦାନରେ ଅଧିକ ଭାଗ ନେଇପାରୁଛନ୍ତି । ଏଥିପାଇଁ ଜନଜାତି ସୁରକ୍ଷା ମଂଚ ପକ୍ଷରୁ ପ୍ରଥମେ ୨୦୦୯ରେ ୨୮ ଲକ୍ଷ ଜନଜାତିଙ୍କ ହସ୍ତାକ୍ଷର ସମ୍ବଳିତ ସ୍କାରକ ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରା ଯାଇଥିଲା । ସେହିପରି ୨୦୨୦ରେ ୨୮୮ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର, ୨୦୨୧ ରେ ୨୦୭ ଜିଲ୍ଲାରେ ଜନଜାତି ସମାବେଶର ଆୟୋଜନ ତଥା ଗତ ୨୦୨୨ରେ ୪୪୮ ସାଂସଦକୁ ବ୍ୟକ୍ତିଗତ ସାକ୍ଷାତ କରାଯାଇ ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ଆବେଦନ କରାଯାଇଥିଲା । ସେହିପରି ଆମ ରାଜ୍ୟରେ ମଧ୍ୟ ୧୪ଟି ଜିଲ୍ଲାରେ ଜିଲ୍ଲା ସମାବେଶ ମାଧ୍ୟମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
ଆଗାମୀ ୨୫ରେ ହେବାକୁ ଥିବା ଏହି ମହାସମାବେଶରେ ଜନଜାତି ସୁରକ୍ଷା ମଂଚ ଅଖିଳ ଭାରତୀୟ ସଂଯୋଜକ, ସହ ସଂଯୋଜକ ଏବଂ ଓଡିଶାର ବିଶିଷ୍ଟ ଜନଜାତି ନେତୃବୃନ୍ଦ ଉଦ୍ବୋଧନ ଦେବେ ବୋଲି ସେମାନେ ସୂଚନା ଦେଇଛନ୍ତି ।
ସମଗ୍ର ଓଡିଶାରୁ ଆସୁଥିବା ବନବାସୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ସମାଜର ସମସ୍ତ ବର୍ଗ ଓ ନାଗରିକଙ୍କୁ ସେମାନେ ଅନୁରୋଧ କରିଛନ୍ତି ।