ନୂଆପଡ଼ା,କୁହାଯାଏ ପ୍ରେମ ଶାଶ୍ଵତ, ଚିରନ୍ତନ। କିନ୍ତୁ, ପ୍ରେମର ଦେବତା ସବୁବେଳେ ଅନ୍ଧ। ଆଉ ପରକୀୟା ପ୍ରେମ ତ ଅନ୍ଧ, ମୁକ ଓ ବଧିର। କାରଣ ଏହା ଗୋଟିଏ ପରିବାରକୁ ଛାରଖାର କରିଦେଇପାରେ। ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଝୋଲ ପଥର ଗାଁରେ। କୋଡିଏ ଦିନର ଶିଶୁକନ୍ୟାକୁ ଛାଡି ମାଆ ଚାଲି ଯାଇଛି କାହା ସହିତ।
ଖଡ଼ିଆଳ ବ୍ଲକ ସାନମହେଶ୍ବର ଗ୍ରାମପଞ୍ଚାୟତର ଝୋଲପଥର ଗାଁ। ଏହି ଗାଁର ଷାଠିଏ ବର୍ଷୀୟା ମହାଦେଇ ତାଣ୍ଡିଙ୍କ ମୁଣ୍ଡରେ ଏବେ ଦୁଃଖର ପାହାଡ଼। ବର୍ଷକ ତଳେ ଆନ୍ଧ୍ରପ୍ରଦେଶ ଇଟା ଗଢି ଯାଇଥିବା ଏକମାତ୍ର ପୁଅ ସନ୍ତୋଷ ତାଣ୍ଡି ଭଲ ପାଇ ସବିତା ନାମକ ଝିଅକୁ ଧରି ଘରକୁ ଆସିଲା। ଇଛା ନଥିଲେ ମଧ୍ୟ ପୁଅର ଭଲ ପାଇବାକୁ ସ୍ଵୀକୃତି ଦେଇଥିଲେ ମାଆ। ସୁଖ ଦୁଃଖର ସଂସାର ରଥ ଚାଲୁଥିଲା। କିଛି ଦିନ ପରେ ଝିଅଟିଏ ହେବାରୁ ସେ ବହୁତ ଖୁସି ଥିଲେ। ଏହାପରେ ଝିଅ ଓ ସ୍ତ୍ରୀକୁ ଛାଡି ପୁଣି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସନ୍ତୋଷ। ବାପା ହେବା ଖୁସିରେ ପାଦ ତଳେ ଲାଗୁ ନଥିଲା। ଏହି ଖୁସି କିନ୍ତୁ ବେଶୀ ଦିନ ରହିଲା ନାହିଁ, ଯେତେବେଳେ ସେ ଖବର ପାଇଲେ ତାଙ୍କର କୋଡିଏ ଦିନର ଝିଅକୁ ଛାଡି ସ୍ତ୍ରୀ ସବିତା କାହା ସହିତ ଫେରାର ହୋଇଯାଇଛି। ମୁଣ୍ଡ ଉପରେ ସତେ ଯେମିତି ବଜ୍ରପାତ ହେଲା। ଯାହାକୁ ଭଲପାଇ ଦିନେ ଆଜୀବନ ସାଥୀ କରିବାର ପଣ କରିଥିଲେ ସେ ଯେ ଦିନେ ଧୋକା ଦେଵ ଏହା ସେ ସ୍ଵପ୍ନରେ ସୁଦ୍ଧା ଭାବି ପାରି ନଥିଲେ। ଘରକୁ ସେ ଫେରି ଆସିଲେ। ଘରେ ବୁଢ଼ୀ ମା ଓ ଭଉଣୀ ସୁଶୀଳା ଶିଶୁ କନ୍ୟାର ଯତ୍ନ ନେଉଥିଲେ। ସୁଶୀଳା ଜନ୍ମରୁ ଅନ୍ଧୁଣି, ହେଲେ ନିଜ ଝିଆରୀର ଯତ୍ନ ନେବାରେ ଅବହେଳା କରୁ ନଥିଲେ। କିନ୍ତୁ, ଏହାପରେ ସନ୍ତୋଷଙ୍କ ହାବଭାବ ବଦଳି ଗଲା। ମଦ ପିଇ ମାଆ ଓ ଭଉଣୀକୁ ମାଡପିଟ କରିବାକୁ ଲାଗିଲେ। ପରିବାରର କିଛି ଆୟ ନଥିବାରୁ ମାଗିଯାଚି ଶିଶୁକନ୍ୟା ପାଇଁ କ୍ଷୀରର ବ୍ୟବସ୍ଥା କରୁଥିବା ମାଆକୁ ମଦ ପାଇଁ ଟଙ୍କା ମାଗୁଥିଲେ, ଟଙ୍କା ନଦେଲେ ମାଡପିଟ କରୁଥିଲେ ସନ୍ତୋଷ, ଏପରିକି ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ ବୋଲି ମହାଦେଇ ଅଭିଯୋଗ କରିଛନ୍ତି। ଅତିଷ୍ଠ ହୋଇ କିଛି ଦିନ ତଳେ ସେ ଘରଛାଡି କୁଆଡେ ଚାଲିଗଲେ। ମାଆ ପଳେଇବା ପରେ ଅନ୍ଧୁଣି ସୁଶୀଳାକୁ ଝିଆରୀର ଯତ୍ନ ନେବାକୁ ପଡିଲା। ପାଖ ପଡିଶା ମଧ୍ୟ ତାଙ୍କୁ ସହଯୋଗ କରିଥିଲେ। କିନ୍ତୁ, ଦୁଇ ଦିନ ତଳେ ସନ୍ତୋଷ କୁଆଡେ ପଳେଇଛନ୍ତି। ଫଳରେ ସୁଶୀଳା ବହୁତ କଷ୍ଟରେ ଝିଆରୀକୁ ରଖିଛନ୍ତି। ଲୋକଙ୍କୁ ମାଗିଯାଚି ସେଇ ଟଙ୍କାରେ ଅମୁଲ କିଣି ପିଆଉଛନ୍ତି। ଅବଶ୍ୟ ଆଜି ପୁଅ କୁଆଡେ ଚାଲି ଯାଇଥିବା ଶୁଣି ମହାଦେଇ ଘରକୁ ଫେରି ଆସିଛନ୍ତି । ଏହି ଖବର ପାଇଲା ପରେ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଘରକୁ ଆସି ସହାନୁଭୁତି ଜଣାଇବା ସହ ପ୍ରଶାସନକୁ ଜଣାଇ ଶିଶୁକନ୍ୟାର ଥଇଥାନ କରିବେ ବୋଲି କହିଛନ୍ତି, ନହେଲେ ଝିଅ ବଡ଼ ହେବା ପର୍ଯ୍ୟନ୍ତ ତା”ର ଭରଣପୋଷଣ ଦାୟିତ୍ବ ଗ୍ରହଣ କରିବେ ବୋଲି କହିଛନ୍ତି । ମହାଦେଇଙ୍କ ପରିବାର ଗରିବ ଶ୍ରେଣୀର ଓ କୌଣସି ଜମିବାଡ଼ି ତାଙ୍କର ନାହିଁ। ତାଙ୍କର ସ୍ଵାମୀ ଦୁଇ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ ମଧ୍ୟ ବିଧବା ଭତ୍ତା ଖଣ୍ଡେ ମିଳି ପାରିନାହିଁ। ଝିଅ ସୁଶୀଳା ଜଣେ ଦିବ୍ୟାଙ୍ଗ ଦୃଷ୍ଟିହୀନ, ନିୟମ ଅନୁସାରେ ସାତ ଶହ ଟଙ୍କା ଭତ୍ତା ପାଇବା କଥା, କିନ୍ତୁ ପାଞ୍ଚ ଶହ ଟଙ୍କା ପାଉଛନ୍ତି। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଦିବ୍ୟାଙ୍ଗ ଥିବା ପରିବାର ଅନ୍ତଦୋୟ କାର୍ଡ ପାଇବା କଥା, ହେଲେ ତାଙ୍କ ପରିବାର ବିପିଏଲ କାର୍ଡରେ କୋଡିଏ କିଲୋଗ୍ରାମ ରାସନ ପାଉଛନ୍ତି। ଏହି ପରିବାର ମାଟି ଘରେ ରହୁଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡେ ପାଉ ନାହାଁନ୍ତି। ତାଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।