ଭୁବନେଶ୍ୱର, ଚାଷୀ ପେନସନ ଓ ଟାଟା ପାୱାରର ଆଖିବୁଜା ବିଦ୍ୟୁତ ଗ୍ରାହକ ଶୋଷଣ ନେଇ ସୋମବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ କରାଯାଇଛି । ହଜାର ହଜାର ଚାଷୀ ହାତରେ ବ୍ୟାନର, ପ୍ଲାକାର୍ଡ଼ ଓ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ବାହାରି ନାରାବାଜି କରିଥିଲେ । ପ୍ରଥମ ବ୍ୟାରିକେଟ୍ ଡେଇଁ ଦ୍ୱିତୀୟ ବ୍ୟାରିକେଟ୍ ଅତିକ୍ରମ କରିବାକୁ ଉଦ୍ୟମ କରିବା ବେଳେ ପୋଲିସ୍ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ ।
ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଆହୂତ ସଭାକୁ ସମ୍ବୋଧିତ କରି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ରାଜ୍ୟ ସରକାର ଚାଷ ଓ ଚାଷୀର ସ୍ୱାର୍ଥରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏଥର ଓଡ଼ିଶାର ଚାଷୀମାନେ ଜନଆନ୍ଦୋଳନ ଓ ରଣନୀତି ବଦଳାଇବେ । ଏଥର ଆଉ ଆବେଦନ ଓ ନିବେଦନ ଫର୍ମୁଲାରେ ଚାଷୀମାନେ ନ ଯାଇ ନିଜେ ସରକାର ଗଢିବାକୁ ରାଜ୍ୟରେ ଉଦ୍ୟମ କରିବେ ।
ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଚାଷୀଙ୍କୁ ଅବହେଳା କରିବା ରାଜ୍ୟ ସରକାରଙ୍କର ଅଭ୍ୟାସ ହୋଇଗଲାଣି । ରାଜ୍ୟର ସଂଗଠିତ ବର୍ଗ ପାଟିତୁଣ୍ଡ କରି ରାଜକୋଷରୁ ଲୁଟ କରୁଛନ୍ତି, ଅଥଚ ଗୋଟେ କୃଷିପ୍ରଧାନ ରାଜ୍ୟରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ଟଳି ପଡୁଛି । ଏହି ଅହଂକାର ଓ ଅବିଚାର ବିରୁଦ୍ଧରେ ଚାଷୀମାନେ ଏକଜୁଟ ହୋଇଛନ୍ତି । ଏହାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର ହେବ ।
ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ ଓ ରଶ୍ମୀରଞ୍ଜନ ସ୍ୱାଇଁ କୃଷି ଭିତିଭୂମି, କୃଷିଲୋନ, ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ବିଶିଷ୍ଟ ଆଡ଼ଭୋକେଟ କ୍ଷୀରୋଦ ରାଉତ, ପୂର୍ବତନ ବିଧାୟକ ଚିତ ଷଡ଼ଙ୍ଗୀ, ଯୁବନେତା ବିଶ୍ୱକେଶରୀ ମହାନ୍ତି, ରଣଜିତ ପଟ୍ଟନାୟକ, ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ମଧୁମିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।