-
ସୁନାବେଡ଼ା ଅଭୟାରଣ୍ୟରେ ବାଘ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟଣା
ଭୁବନେଶ୍ୱର, ସୁନାବେଡ଼ା ଅଭୟାରଣ୍ୟରେ ବାଘ ଆକ୍ରମଣରେ ମହିଳା ମୃତ୍ୟୁ ପ୍ରସଙ୍ଗରେ ମହିଳାଙ୍କୁ କଲରାପତରିଆ ବାଘ ମାରିଥିବା କହିଛନ୍ତି ପିସିସିଏଫ ଦେବୀଦତ ବିଶ୍ୱାଳ । ସେ କହିଛନ୍ତି ଯେ ମହିଳାଙ୍କୁ ଆକ୍ରମଣ କରିଥିବା ବାଘ ମହାବଳ ନୁହେଁ କଲରାପତରିଆ । ବାଘ ଉପରେ ନଜର ରହିଛି, ଲୋକଙ୍କୁ ସତର୍କ କରାଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଜଳମଡ଼େଇ ଗାଁର ୬୫ ବର୍ଷୀୟା ବୃଦ୍ଧା ସାନମତି ବାରିକ ଗତକାଲି ସନ୍ଧ୍ୟାରେ ସାନମତି ଘର ପାଖ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ସମୟରେ ବାଘ ହାବୁଡ଼ରେ ପଡ଼ିଯାଇଥିଲେ । ଜୀବନ ବଂଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସାନମତି ବାଘ କବଳରୁ ନିଜକୁ ରକ୍ଷା କରି ପାରି ନଥିଲେ । ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସିଥିଲେ । ସ୍ଥାନୀୟ ଲୋକେ ବାଘକୁ ଠେଙ୍ଗା ବାଡ଼ି ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ଲୋକଙ୍କୁ ଦେଖି ଭୟଭୀତ ହୋଇ ବାଘଟି ସାନମତିଙ୍କୁ ଅଧା ଖାଇ ଜଙ୍ଗଲକୁ ଦୌଡ଼ି ପଳାଇଥିଲା ।