
-
ସୁଶାନ୍ତ ସିଂଙ୍କ ସରକାରୀ ବାସଭବନ ଓ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ସୋମବାର ଦିନ ଛାତ୍ର କଂଗ୍ରେସ ପକ୍ଷରୁ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । ପ୍ରାୟ ୧ଘଂଟା ଧରି ସୁଶାନ୍ତ ସିଂଙ୍କ ଘର ସାମନାରେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିଥିଲା । ପୋଲିସ ସହ ଧସ୍ତାଧସ୍ତି ହେବା ସହ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରାଯାଇଥିଲା । ଏହାପରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଅପର ପିଏମଜି ନିକଟକୁ ଆସି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ । ବାରିକେଟ ଭାଙ୍ଗି ଛାତ୍ର କଂଗ୍ରେସ କର୍ମକର୍ତାମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।
ଏହି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ସଂପୃକ୍ତିକୁ ରାଜ୍ୟ ସରକାର ଘଂଟ ଘୋଡ଼ାଉଛନ୍ତି । ଅସଲ ଦୋଷୀକୁ ଛାଡ଼ି ଦେବାପାଇଁ ହତ୍ୟାକାରୀ ଗୋପାଳ ଦାସଙ୍କୁ କେତେବେଳେ ମାନସିକ ବିକାରଗସ୍ତ ବୋଲି ସଜେଇ ଦିଆଯାଉଛି ତ କେତେବେଳେ ଲାଟିନ ଭିତରେ ଗୋପାଳର ଚିଠିକୁ ଖୋଜାଯାଉଛି । କ୍ରାଇମବ୍ରାଂଚ ୨୨ବର୍ଷ ଧରି ମିଥ୍ୟାକାହାଣୀ ସୃଷ୍ଟିକରି ବିିଭିନ୍ନ ହତ୍ୟା ଏବଂ ଦୁଷ୍କର୍ମ ଘଟଣାରେ ବିଜେଡ଼ି ଦଳର ବିଧାୟକ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଛି । ମାନ୍ୟବର ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ସହ ଏହି ହତ୍ୟା ଘଟଣାର ତଦନ୍ତରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ଛାତ୍ର କଂଗ୍ରେସ ଦାବି କରିଛି । ତାଙ୍କର ଏବଂ ତାଙ୍କର ଚାରିପାଖରେ କାମ କରୁଥିବା ଲୋକଙ୍କର ମୋବାଇଲ ଫୋନର କଥୋପକଥନ ଓ ବିଭିନ୍ନ କାର୍ଯ୍ୟକ୍ରମକୁ ତଦନ୍ତ କରାଯାଉ । ଗୋପାଳ ଦାସ ଏ ହତ୍ୟାର ଏକ ମାଧ୍ୟମ । ମାତ୍ର ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସୁଶାନ୍ତ ସିଂ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।
ଆଜିର କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ନିହାର ରଞ୍ଜନ ବେହେରା, ନଳିନୀକାନ୍ତ ନାୟକ, ମହମ୍ମଦ ଗୁଲଫାମ, ଅଭିଶେକ ପାତ୍ର, ସାହାରୁଖ ଖାନ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶଗ୍ରହଣ କରିଥିଲେ ।