ଭୁବନେଶ୍ୱର – ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୧୦ମ ଓଡ଼ିଶା ପରିବେଶ କଂଗ୍ରେସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହେବ । ଆସନ୍ତା ଡିସେମ୍ବର ୧୫ ତାରିଖ ରବିବାର ଦିନ ଏହି ପ୍ରତିଯୋଗିତା ଭୁବନେଶ୍ୱରର ଆଚାର୍ଯ୍ୟବିହାରସ୍ଥିତ ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ(ଆରଏମଏନଏଚ) ଠାରେ ସକାଳ ୯ଟା ୩୦ରେ ଆରମ୍ଭ ହେବ । ଏହାକୁ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ(ସ୍ୱାଧିନ) ଶ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ପ୍ରବନ୍ଧ ପ୍ରତିଯୋଗିତାରେ ଯେଉଁମାନେ ଭାଗନେବେ ସେମାନେ ତା’ର ପାଣ୍ଡୁଲିପି ପ୍ରସ୍ତୁତ କରି ୧୫ ତାରିଖ ସୁଦ୍ଧା ଆର.ଏମ.ଏନ.ଏଚ.ରେ ଦାଖଲ କରିବାକୁ ଅନୁଷ୍ଠାନ ପକ୍ଷର ଅନୁରୋଧ କରାଯାଇଛି । ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ହେଉଛି ଦାୟିତ୍ୱ ସମ୍ପନ୍ନ ଖଣି ଶିଳ୍ପ ସମ୍ଭବ କି? ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟବସ୍ତୁ ୧୫ ତାରିଖ ଦିନ ପ୍ରତିଯୋଗିତା ଆରମ୍ଭ ହେବାର ୧ ଘଂଟା ପୂର୍ବରୁ ଘୋଷଣା କରାଯବି । ଚଳତି ବର୍ଷ ପରିବେଶ କଂଗ୍ରେସର ବିଷୟବସ୍ତୁ ରହିଛି \”ପରିବେଶ ଓ ଖଣି\’ । ଖଣି ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିଛି । କିନ୍ତୁ ସେହି ଖଣି କାର୍ଯ୍ୟକଳାପ ଆମ ପରିବେଶକୁ ମଧ୍ୟ ବହୁ ପରିମାଣରେ କୁପ୍ରଭାବ ପଡ଼ି ଆସୁଛି । ଆମର ପାଣି, ପବନ, ମାଟି ଇତ୍ୟାଦି ଏହାଦ୍ୱାରା ପ୍ରଦୂଷିତ ହେଉଛି । ଜଙ୍ଗଲର ଅବକ୍ଷୟ ଜଳବାୟୁ ପରିବର୍ତନର କାରଣ ମଧ୍ୟ ପାଲଟିଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ବିଷୟରେ ସଚେତନତା ସୃଷ୍ଟି ପାଇଁ ପରିବେଶ କଂଗ୍ରେସ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ପ୍ରତିଯୋଗିତାକୁ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଆମନ୍ତ୍ରଣ କରାଯାଇଛି ଉଦଘାଟନ କରିବା ପାଇଁ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ପରିବେଶ କଂଗ୍ରେସର ଉଦଯାପନୀ ଉତ୍ସବ ୨୨ ତାରିଖ ଅପରାହ୍ନରେ ସମ୍ବର୍ଦ୍ଧିତ କରାଯିବ । ଏହି ପ୍ରତିଯୋଗିତା ବିଷୟରେ ସବିଶେଷ ତଥ୍ୟ ପାଇଁ ନିରୋଦ ଖୁଂଟିଆ(୮୦୯୩୧୦୯୦୯୩), ସରିତା ସାମଲ (୭୦୦୮୧୬୩୩୭୨) ଏବଂ ସଂସ୍ଥା କାର୍ଯ୍ୟାଳୟ (୦୬୭୪-୨୭୪୧୨୧୯) ରେ ଯୋଗାଯୋଗ କରି ପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
Related Stories
October 25, 2024