କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀମନ୍ଦିର ସତ୍ୱ୍ୱଲିପି ଅଧିକାରୀ ୨୪ ଶାସନର ପଣ୍ଡିତମାନେ ଗତକାଲି ଶ୍ରୀମନ୍ଦିର ପ୍ରଶାସକଙ୍କ ଦ୍ୱାରସ୍ଥ ହୋଇ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଅଭିଯୋଗରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ” ଶ୍ରୀ ଶଙ୍କର୍ଷଣ ଦାଶ ମୁକ୍ତିମଣ୍ଡପର ଜଣେ ଜବରଦଖଲକାରୀ ବ୍ରାହ୍ମଣ” ଏବଂ ସେ ନିଜକୁ ମୁକ୍ତିମଣ୍ଡପର ” ଆବାହକ ଓ ପରିଚାଳନା ସମ୍ପାଦକ ” ନାମରେ ପରିଚୟ ଦେଇ ଆସନ୍ତା ତା.୧୯.୦୩.୨୦୨୩ ରିଖ ଦିନ ଏକ ବୈଠକ କରିବା ପାଇଁ ମଣ୍ଡପାସୀନ ବ୍ରାହ୍ମଣମାନଙ୍କ ଅବଗତି ନିମନ୍ତେ ମୁକ୍ତିମଣ୍ଡପରେ ଏକ ବିଜ୍ଞାପନ ମାରିଛନ୍ତି ଯାହାକୁ ଏକ ବେଆଇନ ବିଜ୍ଞାପନ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଓ ଏହି ଆହୁତ ବେଆଇନି ବୈଠକୁ ବାତିଲ କରିବା ପାଇଁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୁକ୍ତିମଣ୍ଡପ ସମ୍ବିଧାନରେ “ଆବାହକ ଓ ପରିଚାଳନା ସମ୍ପାଦକ ଭଳି କୌଣସି ପଦବୀ ନାହିଁ । ଉକ୍ତ ପଦବୀ ଶ୍ରୀଦାଶଙ୍କ ସ୍ବଘୋଷିତ ପଦବୀ । ଉକ୍ତ ବୈଠକରେ ପୂର୍ବତନ ଅବୈଧ ସମ୍ପାଦକଙ୍କ ଇସ୍ତଫା ପତ୍ର ଉପରେ ଆଲୋଚନା , ନୂତନ ସମ୍ପାଦକ ନିର୍ବାଚନ ଓ ଆର୍ଥିକ ହିସାବପତ୍ର ଇତ୍ୟାଦି କରିବା ପାଇଁ ବିଜ୍ଞାପନରେ କାର୍ଯ୍ୟସୂଚୀ ରଖାଯାଇଛି । ଜଣେ ଅପ୍ରାଧିକୃତ ବ୍ୟକ୍ତିଙ୍କ ଦ୍ୱାରା ଆହୁତ ଏହି ବୈଠକ ଏକ ବେଆଇନି ଓ ଅଭିସନ୍ଧିମୂଳକ ବୈଠକ ହୋଇଥିବାରୁ ଏହାକୁ ବାତିଲ କରି ୨୪ ଶାସନର ପଣ୍ଡିତମାନଙ୍କ ଦ୍ୱାରା ଯଜ୍ଞ ଓ ପନ୍ତି ଉଦ୍ଦେଶ୍ୟରେ ଦକ୍ଷିଣା ଅର୍ଥରୁ ସଞ୍ଚିତ କରି ଦୀର୍ଘ ଦିନରୁ ରଖିଥିବା ଅର୍ଥକୁ ସୁରକ୍ଷା ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଡାକଯୋଗେ ଓ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଅଭିଯୋଗ ପତ୍ର ଦେଇଛନ୍ତି ।
ପ୍ରକାଶ ଥାଉ କି , ହିନ୍ଦୁମାନଙ୍କର ସର୍ବୋଚ୍ଚ ଧାର୍ମିକ ନ୍ୟାୟାଳୟ ନାମରେ ଆଦୃତ ଶ୍ରୀମନ୍ଦିରସ୍ଥ ପବିତ୍ର “ମୁକ୍ତିମଣ୍ଡପ” ରେ ସତ୍ଵଲିପି ବହିର୍ଭୁତ ଶାସନର କିଛି ବ୍ରାହ୍ମଣ ଜୋରଜବରଦସ୍ତ ପଶି ଆଜକୁ ପ୍ରାୟ ୮ ବର୍ଷ ହେବ ସତ୍ଵଲିପି ଅଧିକାରୀ ୨୪ ଶାସନର ବ୍ରାହ୍ମଣଙ୍କ ଠାରୁ ଖାତାପତ୍ର ଛଡାଇନେଇ ଓ ଏକ ଅବୈଧ ତଥା ବେଆଇନି କମିଟି ଗଠନ କରି ମଣ୍ଡପକୁ ନିଜ ଅକ୍ତିଆରରେ ରଖି ଏହାର ଧାର୍ମିକ ଗାରିମାକୁ କ୍ଷୁର୍ଣ୍ଣ କରିବା ସହିତ ଅଧିକୃତ ବୟୋଜ୍ୟୋଷ୍ଠ ବ୍ରାହ୍ମଣ ମାନଙ୍କୁ ଆର୍ଥିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଜଦରଦଖଲକାରୀଙ୍କର ଅଶୋଭନୀୟ କାର୍ଯ୍ୟକଳାପ ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ,ଜିଲ୍ଲା ପ୍ରଶାସନ ଓ ଓଡିଶା ସରକାରଙ୍କର ଆଇନି ବିଭାଗକୁ ବିଭିନ୍ନ ସମୟରେ ଅବଗତ କରାଯାଇଛି । ଜବରଦଖଲକୁ ନେଇ ପୁରୀ କୋର୍ଟରେ ଏକ ଫୌଜଧାରୀ ମୋକଦମା( ଜି.ଆର ୧୬/ ୨୦୧୬ )ବିଚାରାଧୀନ ଅଛି । ଏହାଛଡା ମୁକ୍ତିମଣ୍ଡପରେ ଉପବେଶନ ଅଧିକାରକୁ ନେଇ ପୁରୀ ମୁନିଷିଫ କୋର୍ଟରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋକଦମା ନଂ ୩୫୦/ ୧୯୯୨ ମଧ୍ୟ ବିଚାରାଧୀନ ଅଛି । ଦୁଇ ଦୁଇଟି ମୋକଦମା କୋର୍ଟରେ ବିଚାରାଧିନ ଥିବାବେଳେ ଜଣେ ଜବରଦଖଲକାରୀ ବ୍ରାହ୍ମଣ ନିଜର କୌଣସି ଅଧିକାର ନ ଥାଇ ଏଭଳି ଏକ ବେଆଇନି ବୈଠକ କରି ମୁକ୍ତିମଣ୍ଡପରେ ଗଛିତ ଥିବା ବ୍ରାହ୍ମଣ ମାନଙ୍କର ଦକ୍ଷିଣା ଅର୍ଥକୁ ହରିଲୁଟ କରି ନେଇଯିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗକାରୀ ପଣ୍ଡିତମାନେ ଅଭିଯୋଗରେ ଦର୍ଶାଇଛନ୍ତି । ନିଜେ ଶ୍ରୀ ଶଙ୍କର୍ଷଣ ଦାଶ ଉପରୋକ୍ତ ଦୁଇଗୋଟି ମୋକଦମାରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ମୁକ୍ତିମଣ୍ଡପରେ ଅରାଜକତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ଆଇନି ବିଭାଗ ଦାୟୀ ବୋଲି ମୁକ୍ତିମଣ୍ଡପର ବରିଷ୍ଠ ସଦସ୍ୟମାନେ ମତ ଦେବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି ।
Related Stories
November 24, 2024
November 24, 2024