ଭୁବନେଶ୍ୱର, ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି । ଆଜି ଭୋରରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ବିୟୋଗରେ ଅନେକ ମାନ୍ୟଗଣ୍ୟ ଲୋକ ଶୋକ ପ୍ରକାଶ କରିଛନ୍ତି ।
୧୯୪୮ ମସିହାରେ ଝାରସୁଗୁଡ଼ାର ପୁରୁଣାବସ୍ତିରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପାଣ୍ଡେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ଉଲ୍ଲେଖନୀୟ ଯେ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରେ ୩ ଥର ନିର୍ବାଚନ ଜିତିଥିଲେ । ସେ ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାଛଡ଼ା ବୀରେନ୍ଦ୍ର ପାଣ୍ଡେ ଝାରସୁଗୁଡ଼ାର ପୌରପାଳ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ଭାବେ ମଧ୍ୟ ଦାୟିତ୍ୱ ବହନ କରିଥିଲେ ।