ମାଲକାନଗିରି, କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମାନଙ୍କର ଶହ ଶହ ଏକର ପରିମିତ ଚାଷଜମିରେ ଲାଗିଥିବା ତରଭୂଜ ଫସଲ କ୍ଷତିଗ୍ରସ୍ତ ହୋଇଛି ।
ନାଲିଗୁଡା ଗ୍ରାମର ସମାରୁ ନାଲିଙ୍କ କହିବାନୁସାରେ ସେ ବରୋଦା ବ୍ୟାଙ୍କରୁ ୫୦୦୦୦/- ଟଙ୍କା ଋଣ କରି ନିଜ ଜମିରେ ତରଭୂଜ ଫସଲ ଲଗେଇଥିଲେ, କିନ୍ତୁ ଲଘୁଚାପ ଜନିତ ଅଦିନିଆ ବର୍ଷା ଯେମିତି ତାଙ୍କର ସବୁ ପରିଶ୍ରମର ଫଳ ଧୋଇ ଦେଇଛି । ଏ ବର୍ଷ ତରଭୂଜ ଫସଲ ମଧ୍ୟ ଅନୁରୂପ ହୋଇଥିଲା ଓ ସେ ଆଶା ରଖିଥିଲେ, ବ୍ୟାଙ୍କ ଋଣ ଶୁଝିବା ପରେ ଭଲ ଦି ପଇସା ଲାଭ ପାଇଥାନ୍ତେ, କିନ୍ତୁ ସବୁକିଛି ଆଶା ଯେମିତି ଧୂଳିସାତ ହୋଇଯାଇଛି। ବର୍ତ୍ତମାନ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବ୍ୟାଙ୍କ ଋଣ ଶୁଝିବେ କେମିତି । ସମାରୂଙ୍କ ଭଳି ଏ ଅଞ୍ଚଳର ଶହ ଶହ ଚାଷୀ ଅନୁରୂପ ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କୃଷି ଓ ବ୍ୟାଙ୍କ ବିଭାଗ ଚାଷ ଓ ଚାଷୀଙ୍କର କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କ ଦୁଃଖ ଦୂର କରିପାରୁଛି ନା ନାହିଁ ।