ଭୁବନେଶ୍ୱର – ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ତତ୍ୱାବଧାନରେ ଡ଼ିସେମ୍ବର ୭ ଓ ୮ ଦୁଇଦିନ ଧରି ପୁରୀର ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ନେପାଳର କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର ପରିସରରେ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ପୁରୀ ମନ୍ଦିରର ଛତିଶା ନିଯୋଗ ନାୟକ ଶ୍ରୀଯୁକ୍ତ ଜନାର୍ଦ୍ଦନ ମହାପାତ୍ର, ମନ୍ଦିର ସେବକ ଶ୍ରୀଯୁକ୍ତ ନୀଳମଣି ଗୁରୁ, ମୁକ୍ତି ମଣ୍ଡପର ପ୍ରମୁଖ ସଦସ୍ୟ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର, ଶ୍ରୀମନ୍ଦିର ପରିଚାଳନା ସମିତି ସଦସ୍ୟ ଡଃ ସିଦେ୍ଧଶ୍ୱର ମହାପାତ୍ର ଓ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରତିଷ୍ଠା ସମାରୋହରେ ଯୋଗ ଦେଇ ଚତୁର୍ଦ୍ଧା ମୂର୍ତିଙ୍କୁ ପଶୁପତିନାଥ ମନ୍ଦିର ମୁଖ୍ୟ ପୂଜକଙ୍କର ପୂଜାଗୃହରେ ପ୍ରତିଷ୍ଠା କରାଇଥିଲେ । ପ୍ରତିଷ୍ଠା ଉତ୍ସବ ପରିଚାଳନା କରିଥିଲେ ବିଶିଷ୍ଟ ପଣ୍ଡିତ ସୁଧାକର ମହାପାତ୍ର, ପଣ୍ଡିତ ବିିଚିତ୍ରାନନ୍ଦ ମିଶ୍ର ଓ ଡ଼ଃ ସିଦେ୍ଧଶ୍ୱର ମହାପାତ୍ର । ଏହି ଚତୁର୍ଦ୍ଧା ମୂର୍ତି ପ୍ରତିଷ୍ଠା କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ନେପାଳର ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଜଗନ୍ନାଥ ମନ୍ଦିର ପାଇଁ ଜମି ପ୍ରଦାନ କରିବା ପାଇଁ ସମ୍ମତି ପ୍ରକାଶ କରି ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଗତ ୭ ତାରିଖ ଦିନ ଅପରାହ୍ନରେ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ୮ ତାରିଖ ଯଜ୍ଞାନୁଷ୍ଠାନ ପୂର୍ବକ ପୂଜା ସମାପ୍ତ ହୋଇଥିଲା । ଏହାପରେ ଚତୁର୍ଦ୍ଧା ମୂର୍ତିଙ୍କୁ ପଶୁପତିନାଥ ମନ୍ଦିର ମୂଲଭଟ(ମୁଖ୍ୟ ପୂଜକ)ଙ୍କ ପୂଜାଗୃହରେ ନେଇ ଅବସ୍ଥାପିତ କରାଯାଇଥିଲା । ଏହି ଅବସରରେ ଏକ ଆନ୍ତର୍ଜାତିକ କର୍ମକାଣ୍ଡ କର୍ମଶାଳା ପଶୁପତିନାଥ ମନ୍ଦିରସ୍ଥିତ ଶଙ୍କରାଚାର୍ଯ୍ୟ ମଠ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ୪୦ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କର୍ମକାଣ୍ଡ ଉପରେ ମତାମତ ପ୍ରକାଶ କରିଥିଲେ । ପୂଜ୍ୟ ଗୁରୁ ଶ୍ରୀ ଦିବ୍ୟାନନ୍ଦ ସରସ୍ୱତୀଙ୍କର ଏକ ଆଶ୍ରମ କାଠମାଣ୍ଡୁର ବସୁନ୍ଧରା ଛକ ନିକଟରେ ଉଦ୍ଘାଟିତ ହୋଇଥିଲା । ଏହି ଆଶ୍ରମରେ ୭ଟି ନିବାସ କକ୍ଷ ସହ ପର୍ଯ୍ୟାପ୍ତ ପରିମାଣର ସ୍ଥାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରୁ ଯାଉଥିବା ଆଗ୍ରହୀ ଭକ୍ତମାନଙ୍କ ପାଇଁ ଏଠାରେ ରହିବାର ବ୍ୟବସ୍ଥା କରାଯାଇଛି । ନେପାଳରେ ଏହି ପ୍ରତିଷ୍ଠା ଉତ୍ସବକୁ ଆସିଥିବା ଓଡ଼ିଶାର ପ୍ରତିନିଧିମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ସଙ୍ଗୀତା ଶାସ୍ତ୍ରୀ ଓ ପଶୁପତିନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀ ଅର୍ଜୁନ ବାସ୍ତୋଲା, ଶ୍ରୀ ଅରୁଣ କ୍ଷେତ୍ରୀ, ନବରାଜ ଜୀ, ପ୍ରକାଶ ପନ୍ତ ଓ ଧର୍ମରାଜ ବରାଳ । ଏହି ପ୍ରତିଷ୍ଠା ସମାରୋହ ସମାପ୍ତ କରି ଓଡ଼ିଶା ପ୍ରତିନିଧିମାନେ ୧୧ ତାରିଖ ଦିନ ପୁରୀ ଜଗନ୍ନାଥ ମନ୍ଦିରରେ ପହଂଚିବେ ।
Related Stories
October 25, 2024