-
ମୁଦ୍ରଣଜନିତ ତ୍ରୁଟି ହୋଇଥିବା ମାନିଲା ବୋର୍ଡ
ଭୁବନେଶ୍ୱର, ଶନିବାର ଦିନ ଦଶମ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରରେ ଭୁଲ୍ ଥିବା ଅଭିଯୋଗ ଆସିଥିଲା । ତେବେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) । ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।
ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି,ଆଜି କିଛି ସେଂଟରରେ ଇତିହାସ ଓ ରାଜନୀତି ବିଜ୍ଞାନର ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ । ଏହା ମୁଦ୍ରଣଜନିତ ତ୍ରୁଟି । ଆମେ ଏ ବିଷୟରେ ଅବଗତ ଅଛୁ । ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ ଚିନ୍ତିତ ହୁଅନ୍ତୁ ନାହିଁ, ଆଉଥରେ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ । ଓଏମଆର ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । ବହୁତ କମ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଘଟିଛି । କଣ ପାଇଁ ତ୍ରୁଟି ହୋଇଛି, ଏହା ଉପରେ ତଦନ୍ତ କରାଯିବ । ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି ରାମଶିଷ ହାଜରା ।
ସୂଚନା ମୁତାବକ, ଆଜିର ପ୍ରଶ୍ନପତ୍ରର ବି ସେଟ ଭିତରେ ଏ ସେଟ ପ୍ରଶ୍ନପତ୍ର ପ୍ରିଂଟ ହୋଇଥିବା ଅଭିଯୋଗ ଆସିଥିଲା । ଏପରିକି ୧୯ ନମ୍ବର ପ୍ରଶ୍ନ ପ୍ରଶ୍ନପତ୍ରରେ ନଥିବା ଅଭିଯୋଗ ଥିଲା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା ।
ସୂଚନାଯୋଗ୍ୟ ଯେ ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି । ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବା, କପି ଯୋଗାଇବା , ପରୀକ୍ଷା ହଲ୍ କୁ ଶିକ୍ଷକ ମୋବାଇଲ ଫୋନ୍ ନେଇ ଯିବା ଭଳି ଅଭିଯୋଗ ଆସିଛି ।