ଗଞ୍ଜାମ, ଆସନ୍ତା ୨୯ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୪ତମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ । ସମାବର୍ତନ ଉତ୍ସବ ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟର କୂଳାଧିପତି ତଥା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀ ଯୋଗଦେବେ । ଏହି ସମାବର୍ତନ ଉତ୍ସବ ୭୦ ଜଣ ପିଏଚଡି ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯିବା ସହ ପ୍ରତ୍ୟେକ ବିଭାଗର ୪୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ, ୮ ଜଣ ଡିଲିଟ ଓ ୨ ଜଣଙ୍କୁ ଡିଏସସିରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ନୂତନ ଛାତ୍ରୀ ନିବାସ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ନୂତନ କୋଠାକୁ ରାଜ୍ୟପାଳ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ସମାବର୍ତନ ଉତ୍ସବକୁ ସଫଳ କରିବା ପାଇଁ ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ସମସ୍ତ ବିଭାଗର ଶିକ୍ଷକ ଓ ଅଣଶିକ୍ଷକଙ୍କୁ ବିଭିନ୍ନ ଦାୟିତ୍ଵ ପ୍ରଦାନ କରିଛନ୍ତି । ଏହି ଉତ୍ସବକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।