
ଭୁବନେଶ୍ୱର, ସୁନ୍ଦରଗଡ ଜିଲ୍ଲାର ବଣେଇ ବିଧାୟକ ଲକ୍ଷ୍ମଣ ମୁଣ଼୍ଡାଙ୍କୁ କୋଇଡାର ବିଡିଓଙ୍କ ଦ୍ୱାରା ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ମାମଲାରେ ଆଜି ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ଉଭୟ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ଲକ୍ଷ୍ମଣ ମୁଣ୍ଡାଙ୍କୁ ସମର୍ଥନ କରି ନାରାବାଜୀ କରିବା କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଆଜି ନିର୍ଧାରିତ ସମୟ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଥିଲେ । ହେଲେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କୋଇଡାର ବିଡିଓଙ୍କ ଦ୍ୱାରା ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ବାଚସ୍ପତି ତାଙ୍କୁ ନିଜ ଆସନକୁ ଯିବାକୁ କହିବା ସହ ଶୂନ୍ୟକାଳରେ ସେ ତାଙ୍କ କଥା ଉଠାଇ ପାରିବେ ବୋଲି କହିଥିଲେ । ହେଲେ ଶ୍ରୀ ମୁଣ୍ଡା ନିଜ ଆସନକୁ ଯାଇ ନ ଥିଲେ । ଦୀର୍ଘ ତିନି ଦିନ ଧରି ଏହି ଲକ୍ଷ୍ମଣ ମୁଣ୍ଡା ଉଠାଉ ଥିବା ବେଳେ ସରକାର କୌଣସି ପଦକ୍ଷେପ ନ ନେଇଥିବାରୁ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟ ମାନେ ଗୃହରେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟରେ ନାରବାଜି କରିଥିଲେ । ସେମାନେ ତୁରନ୍ତ ବିଡ଼ିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । । ହଟଗୋଳ ଯୋଗୁ ବାଚସ୍ପତି ଗୃହ 11.30 ପର୍ଯ୍ୟନ୍ତ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।