-
ଏଫବିଆଇ ପାଇଁ ଓ ହାଇକୋର୍ଟ ଦ୍ୱାରା ମନିଟରିଂ ପାଇଁ ଲେଖା ଯାଇଥିବା ଚିଠିକୁ ବିଧାନସଭାରେ ଉପସ୍ଥାପନା ପାଇଁ ଦାବି
ଭୁବନେଶ୍ୱର, ଶନିବାର ଦିନ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ପୁଣି ଥରେ ଉଠିଛି । ସେହିପରି ତଦନ୍ତରେ ଏଫବିଆଇର ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲେଖାଯାଇଥିବା ପତ୍ର ଓ ହାଇକୋର୍ଟ ଦ୍ୱାରା ମନିଟରିଂ ପାଇଁ ଲେଖା ଯାଇଥିବା ପତ୍ରକୁ ବିଧାନସଭାରେ ଉପସ୍ଥାପନା କରିବାକୁ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି ।
ଶ୍ରୀ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ୫୦ ଦିନ ବିତି ସାରିଲାଣି । 50 ଦିନ ବିତି ସାରିବା ପରେ ବି କାରଣ ଓ ପଛରେ କିଏ ଜଣାପଡ଼ିନି ।
କଟକ ଏସସିବିର ଡାକ୍ତର ମାନଙ୍କର ଟିମ ଗୋପାଳର ମାନସିକ ସ୍ଥିତି ଠିକ ଥିବା ସମ୍ପର୍କରେ ରିପୋର୍ଟ ଦେବା ପରେ ମଧ୍ୟ ତାଙ୍କୁ ବେଙ୍ଗାଲୁରୁର ନିମାହାଂସ ହସପିଟାଲକୁ ପୁଣି ଥରେ ନେବା ପାଇଁ କାହିଁକି କୋର୍ଟରେ ଆବେଦନ କରାଯାଇଥିଲା । ଏସସିବିରେ ବିଶ୍ୱସ୍ତରୀୟ ବ୍ୟବସ୍ଥା ଥିବା ରାଜ୍ୟ ସରକାର ନିଜେ କହୁଛନ୍ତି । ନିଜ ଡାକ୍ତର ମାନଙ୍କର ଉପରେ କଣ ସରକାରଙ୍କର ବିଶ୍ୱାସ ନାହିଁ। ସେ କହିଛନ୍ତି ଯେ ରାଜ୍ୟ ସରକାର ଗୋପାଳକୁ ପାଗଳ ସାବ୍ୟସ୍ତ କରିବାକୁ କାହିଁକି ଚାହୁଁଛନ୍ତି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ନବ ଦାସ ହତ୍ୟା ମାମଲାରେ ଏଫବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଯେଉଁ ଚିଠି ଲେଖିଛନ୍ତି, ସେ ଚିଠି ବିଧାନସଭାରେ ଉପସ୍ଥାପିତ କରନ୍ତୁ । ସେହିପରି ହାଇକୋର୍ଟ ମନିଟରିଂ ପାଇଁ ଲେଖାଯାଇଥିବା ଚିଠି ବି ଉପସ୍ଥାପନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।