ମାଲକାନଗିରି,ମଧ୍ୟପ୍ରଦେଶ ଇନ୍ଦୋର ଓ ପଞ୍ଜାବ ଅମୃତସର ଠାରେ ଆୟୋଜିତ ଯୁବ ମହୋତ୍ସବକୁ ମାଲକାନଗିରି ଜିଲ୍ଲାର ୩୦ ଜଣ ଆଦିବାସୀ ଯୁବକ ଯୁବତୀ ଯାତ୍ରା କରିଛନ୍ତି। ମାଲକାନଗିରି ଠାରେ ଶୁକ୍ରବାର ଆୟୋଜିତ ଏକ ସମାରୋହରେ ବିଏସଏ ଫ କମାଣ୍ଡାଣ୍ଟ ଶିବ ଓମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ଉଦବୋଧନ ଦେଇ ସବୁଜ ପତାକା ଦେଖାଇଥିଲେ ।ସେମାନଙ୍କ ଯାତ୍ରାର ସଫଳ କାମନା କରଥିଲେ ।
ଏହି କାର୍ଯ୍ୟକ୍ରମରେ ବିଏସଏଫ ବାଟାଲିୟନର ଏ କେ ସିଂ, ଡେପୁଟୀ କମାଣ୍ଡେଣ୍ଟ ଶୁଭ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶ୍ରଦ୍ଧା କର ପାଢ଼ୀ, ନେହୁର ଯୁବକେନ୍ଦ୍ରର ପ୍ରତିନିଧି ସନ୍ତୋଷ ପାତ୍ର ଏବଂ ଅନ୍ୟାନ୍ୟ ବିଏସଏଫ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମଧ୍ୟପ୍ରଦେଶ ଇନ୍ଦୋରକୁ ୧୦ ଜଣ ଓ ପଞ୍ଜାବ ଅମୃତସରକୁ ୨୦ ଜଣ ଯୁବଗୋଷ୍ଠୀଙ୍କୁ ପଠା ଯାଇଛି। ସେମାନଙ୍କ ମଧ୍ୟରେ ୮ ଜଣ ଯୁବତୀ ଅଛନ୍ତି। ମାଲକାନଗିରି ଜିଲ୍ଲାର ମୋଟ ୩୦ ଜଣ ପ୍ରାର୍ଥୀ ଯେଉଁମାନେ ଦୁର୍ଗମ ଦୂରଦୂରାନ୍ତର ଗ୍ରାମରୁ ଆସିଛନ୍ତି। ୩ ଜଣ ବିଏସଏଫ୍ ଅଧିକାରୀ ସେମାନଙ୍କ ସହିତ ଏସକର୍ଟ ଭାବରେ ଯାଇଛନ୍ତି। ଏହି ଭ୍ରମଣ ସମୟରେ ଯୁବଗୋଷ୍ଠୀ ମାନେ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଓ ପଞ୍ଜାବର ଅମୃତସରରେ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ।
ନେହେରୁ ଯୁବା କେନ୍ଦ୍ର ସଂଗଠନ (ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ) ସହଯୋଗରେ ସୀମା ସୁରକ୍ଷା ବଳ (ଗୃହ ମନ୍ତ୍ରଣାଳୟ) ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହାପୂର୍ବରୁ ୧୪/୧୫ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ୨୦୨୨-୨୩ ଅନ୍ତର୍ଗତ ୯ ଟି ପର୍ଯ୍ୟାୟ ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୋପାଳ, ପୁଡୁଚେରୀ, ନୂଆଦିଲ୍ଲୀ, ଚଣ୍ଡିଗଡ଼ ଏବଂ କୋଚି,ପଞ୍ଚୁକୋଲା, ହାଇଦ୍ରାବାଦ, ଶିମିଳା, କୋଏମ୍ବାଟୁରରେ ସଫଳତାର ସହ ସମାପ୍ତ ହୋଇଥିଲା, ଯେଉଁଥିରେ ମାଲକାନଗିରି ଜିଲ୍ଲାର ମୋଟ ୩୦୪ ଜଣ ଯୁବଗୋଷ୍ଠୀ ଅଂଶଗ୍ରହଣ କରିଥିଲେ।