ପୁରୀ, ପୁରୀରେ ଏବେ ଅପରାଧୀମାନେ ସକ୍ରିୟ ହୋଇପଡିଛନ୍ତି । ବିଶ୍ଵସ୍ତରୀୟ ପର୍ଯ୍ୟଟନ ଓ ତୀର୍ଥକ୍ଷେତ୍ର ଅଶାନ୍ତ। ସକାଳୁ ସକାଳୁ ସଂଘବଦ୍ଧ ଆକ୍ରମଣ। ତିନି ଚାରିଦିନ ତଳେ ଯୁବ ସେବାୟତ ମାନଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ମନରୁ ନଲିଭୁଣୁ ଆଜି ସକାଳେ ପୁର୍ନବାର ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ବଡଦାଣ୍ଡ ମାର୍କେଟ ଛକରେ ରୋଡ ଉପରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରଣାସ୍ତ୍ର ଯୋଗେ ଆକ୍ରମଣ ହୋଇଥିବାରୁ ଉଭୟ ଗୋଷ୍ଠୀର ଯୁବକ ମାନେ ଆହତ ହୋଇଛନ୍ତି। ଆହତ ତିନି ଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଆକ୍ରମଣରେ ଆହତ ତିନି ଜଣଙ୍କ ନାମ ହେଉଛି ଦଇତାପଡା ସାହିର ହୃଷିକେଶ ପଣ୍ଡା, ପଞ୍ଚଚୌରା ସାହିର ଖଗେଶ୍ଵର ସାହୁ ଓ ଶ୍ରୀକୃଷ୍ଣ ସିନେମା ହଲ୍ ନିକଟ ନୂଆପାଟଣା ଗଳିର ସମୀର ଦାସ ଓରଫ୍ ଜୁଏଲ୍ ଦାସ। ତେବେ ଜୁଏଲ୍ ଓ ହୃଷିକେଶଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ପୁରୀ ଖଡିପଦା ମେଳଣ ପଡିଆରେ ଜୁଆଖେଳ ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇ ହାତାହାତି ପରିସ୍ଥିତି ଉପୁଜିଥିଲା ଓ ଆଜି ସକାଳେ ଏହା ଉଗ୍ର ରୂପ ନେଇଥିଲା।
ଗତକାଲି ରାତିରେ ଖଡ଼ିପଦା ମେଳଣରେ ଜୁଆଖେଳ ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା ଏବଂ ଟଙ୍କା, ମୋବାଇଲ, ସୁନାଚେନ ଛଡେ଼ଇବା ଭଳି ଘଟଣା ଘଟିଥିଲା । ଯାହାଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ ସାଢେ ୬ ଟା ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ମୁହାଁମୁହିଁ ହୋଇ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ତେବେ ଘଟଣାସ୍ଥଳରେ ଓ ସଦର ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ପୋଲିସ, କୁମ୍ଭାରପଡା ଥାନା ପୋଲିସ, ପୁରୀ ସିଟି ଡିଏସପି, ଅତିରିକ୍ତ ଏସପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଅତରିକ୍ତ ଏସପି ସୂଚନା ଦେଇଛନ୍ତି। ତେବେ ମାର୍କେଟ ଛକ ଅଞ୍ଚଳଟି ଜନଗହଳିପୂର୍ଣ ଅଞ୍ଚଳ ଏବଂ ଶ୍ରୀମନ୍ଦିର ଠାରୁ ମାତ୍ର ଏକ କିଲୋମିଟର ମଧ୍ୟରେ ହୋଇଥିବା ବେଳେ ସେଠାରେ ପୋଲିସ ଟ୍ରାଫିକର ପ୍ରହରା ମଧ୍ୟ ରହିଥାଏ ।ଏଭଳି ଅଞ୍ଚଳରେ ଖଣ୍ଡା ବୁଲିବା ନେଇ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।