ସାଲେପୁର, ସରକାରଙ୍କ ପକ୍ଷରୁ ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ଦିଗରେ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଅର୍ଥ ବିନିଯୋଗ କରାଯାଉଛି । ଏହାର ସୁଯୋଗ ନେଇ ସ୍ଥାନୀୟ ରାଜନୈତିକ ନେତା ନିଜର ବ୍ୟକ୍ତିଗତ ସ୍ଵାର୍ଥ ହେଉ କି କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଉ ଶିଳାନ୍ୟାସ ହେବାର ୧ ବର୍ଷ ପୂରଣ ହୋଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ନହେବା ପରିତାପର ବିଷୟ ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ସାଲେପୁର ବ୍ଲକ ଅନ୍ତର୍ଗତ ନୃତାଙ୍ଗ ଧର୍ମାଗତପୁର ସ୍କୁଲ ରାସ୍ତାର ଗୋବରୀ ନଦୀ ଉପରେ ମିର୍ଜାପୁର ସେତୁ ନିର୍ମାଣ ପାଇଁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଗତ ୧୫.୩.୨୦୨୨ ମସିହାରେ ଶୁଭଶିଳାନ୍ୟାସ କରିଥିଲେ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ, ସରପଂଚ ଓ ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହି ସେତୁଟିକୁ ଏକ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୧ ବର୍ଷ ମଧ୍ୟରେ କୌଣସି କାମ ହୋଇନଥିବା ଦେଖିବାକୁ ମିଳିଛି । ପୂର୍ବରୁ ଥିବା ଏହି ପୁରୁଣା ବ୍ରିଜ୍ ଟି ଭାଙ୍ଗିରୁଜି ଯାଇଥିବାରୁ ସ୍କୁଲ ଛାତ୍ରଛାତ୍ରୀ, ବ୍ୟବସାୟୀ, ଏପରିକି ସାଲେପୁର – ଛତିଆ ଯାଆସ କରୁଥିବା ଯାତ୍ରୀମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ନୂତନ ବ୍ରିଜ୍ ଟି ହୋଇଥିଲେ ସାଧାରଣ ଲୋକମାନେ ଉପକୃତ ହେବା ସହ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ମିର୍ଜାପୁର, ଧର୍ମାଗତପୁର ଅଂଚଳର ଚାଷୀମାନେ ନିଜର ଚାଷ କାର୍ଯ୍ୟ ପାଇଁ ସୁବିଧାରେ ଯାତାୟାତ କରିପାରନ୍ତେ । ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିବା ବିଧାୟକ ତରବରିଆ ଭାବେ ବ୍ରିଜ୍ ପାଇଁ ଶିଳାନ୍ୟାସ କରିଥିଲେ ବି ଅଦ୍ୟାବଧି କାମ ନହେବା ଏକ ରାଜନୈତିକ ଧୂଆଁବାଣ ବୋଲି ସାଧାରଣରେ ଆଲୋଚନା ହେଉଛି । ତୁରନ୍ତ ଏହି କାର୍ଯ୍ୟ ଚାଲୁ କରିବା ପାଇଁ ଜନସାଧାରଣ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ଠାରେ ଦାବି କରିଛନ୍ତି ।