ସାଲେପୁର, ମାହାଙ୍ଗା ରାଜନୀତିରେ ପ୍ରଦୀପ୍ତ ଦାସ, ଶରତ କୁମାର କର, ସେକ୍ ମତଲୁବ୍ ଅଲୀ, ବିଭିନ୍ନ ସମୟରେ ରାଜ୍ୟର ମନ୍ତ୍ରୀ ପଦ ସମ୍ଭାଳିଥିଲେ । କେବଳ ବିକ୍ରମ ବର୍ମାଙ୍କୁ ଛାଡିଦେଲେ ଏମାନେ ସମସ୍ତେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀପଦ ବଜାୟ ରଖିଥିଲେ । ୨୦୦୯ ମସିହା ପରେ ମାହାଙ୍ଗା ରାଜନୀତିରେ ପରିବର୍ତ୍ତନ ଘଟିଥିଲା । ଉପରୋକ୍ତ ବିଧାୟକମାନେ ମାହାଙ୍ଗା ମାଟିର ପୁଅ ଥିଲେ । ୨୦୦୯ ମସିହାରେ ଜଣେ ବାହାର ଲୋକ ପ୍ରଥମ କରି ମାହାଙ୍ଗା ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ହେଲେ । ମାହାଙ୍ଗା ରାଜନୀତିରେ ନିଜର କ୍ୟାରିୟର ସୃଷ୍ଟି କରିବା ସହ ମନ୍ତ୍ରୀ ପଦରେ ରହିଥିଲା ବେଳେ ତାଙ୍କର ଦବଦବା ମଧ୍ୟ ରହିଥିଲା । ସେ ହେଉଛନ୍ତି ବିଧାୟକ ପ୍ରତାପ ଜେନା । ସମୟ ଅନୁସାରେ ମନ୍ତ୍ରୀପଦ ଚାଲିଯିବା ପରେ ତାଙ୍କ ଦଳର କର୍ମୀମାନେ ଏପଟ ସେପଟ ହେବା ଆରମ୍ଭ କରିଦେଲେଣି । ମନ୍ତ୍ରୀପଦ ହରାଇବା ପରେ ତାଙ୍କୁ ଦଳର କର୍ମୀମାନେ ପୂର୍ବପରି ଗ୍ରହଣ କରିପାରୁନାହାଁନ୍ତି । କର୍ମୀମାନଙ୍କ ମନରେ ଏତେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳୁନାହିଁ । ପ୍ରତାପ ବାବୁଙ୍କ ଅମଳରେ ମାହାଙ୍ଗାରେ କୌଣସି ଗୋଟିଏ ଅନୁଷ୍ଠାନ ହୋଇନାହିଁ ଏବଂ ଯେଉଁଭଳି ଭାବରେ ପୂର୍ବତନ ବିଧାୟକମାନେ ମାହାଙ୍ଗା ଅଂଚଳରେ ସ୍କୁଲ, କଲେଜ, ଡାକ୍ତରଖାନା, ତହସିଲ କାର୍ଯ୍ୟାଳୟ, ଆର.ଡି. ଅଫିସମାନ କରିବାରେ ସଫଳ ହୋଇଛନ୍ତି । ତାହା ମାହାଙ୍ଗା ଅଂଚଳବାସୀ ଭଲ ଭାବରେ ଜାଣିଛନ୍ତି । ପ୍ରତାପ ଜେନାଙ୍କ ଅମଳରେ କେବଳ ରାସ୍ତାଘାଟ କାର୍ଯ୍ୟ ଉପରେ ଗୁରୁତ୍ଵ ଦିଆଯାଇ ବହୁ ଦଳୀୟ ଠିକାଦାର ସୃଷ୍ଟି କରିବା ସମ୍ଭବ ହୋଇଥିଲା । ବର୍ତ୍ତମାନ ଦେଖାଯାଉଛି ମାହାଙ୍ଗା ଅଂଚଳରେ କେବଳ ରାସ୍ତାର ଶିଳାନ୍ୟାସ ହେଉଛି ହେଲେ ଗୋଟିଏ ହେଲେ ମୁଖ୍ୟ ରାସ୍ତାର ଅବସ୍ଥା ଭଲ ନାହିଁ । ବିଦ୍ୟାଳୟରେ ଶିକ୍ଷକ ନାହାଁନ୍ତି । ସରକାରୀ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ଭୁଷୁଡି ପଡିଛି । ମାହାଙ୍ଗା ଅଂଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀଙ୍କ ମରୁଡି ପଡିଛି । ସବୁପ୍ରକାର ଦୁର୍ନୀତି ଅନୀତି ମାହାଙ୍ଗାରେ ବଢିଛି । ଯାହାକି ପୂର୍ବତନ ବିଧାୟକମାନଙ୍କ ଅମଳରେ ଏପରି ଘଟିନଥିଲା । ମାହାଙ୍ଗା ଓଡିଶାରେ ଦୁର୍ନୀତିରେ ୧ ନମ୍ବର ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ମର୍ଡର କେସ ଠାରୁ ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ସବୁଠାରେ ବିଧାୟକଙ୍କର ନାଁ ଉଠୁଛି । ବର୍ତ୍ତମାନ ପ୍ରତାପଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି ପୂର୍ବତନ ବାଚସ୍ପତିଙ୍କ ସୁପୁତ୍ର ଶୋଭନ୍ କର । ଯେ କି ଦିଲ୍ଲୀର ଆୟକର ବିଭାଗର କମିଶନର ଚାକିରୀ ଛାଡି ମାହାଙ୍ଗାରେ ସମାଜସେବା କରିବା ପାଇଁ ଆଗେଇ ଆସିଛନ୍ତି । ଏପରିକି ରାଜନୈତିକ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇ ଶରତପ୍ରେମୀ ଲୋକମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି । ତାଙ୍କର ବି ତିନି ମହଲାରେ ଏବେ ମଧ୍ୟ ଦବଦବା ରହିଛି । ମାହାଙ୍ଗା ରାଜନୀତିରେ ଏବେ ଅନ୍ୟ ଜଣଙ୍କର ନାମ ଚର୍ଚ୍ଚାକୁ ଆସୁଛି ସେ ହେଉଛନ୍ତି ଯାଜପୁରର ପୂର୍ବତନ ଜିଲ୍ଲାପାଳ ତଥା ପୂର୍ବତନ କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ । ଯାହାଙ୍କର ଜନ୍ମ ମାହାଙ୍ଗା ଅଂଚଳର ଉମର ଗ୍ରାମରେ । ଉମର ଅଂଚଳରେ ବଳଦେବଜୀଉ ହନୁମାନ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ, ଭଦ୍ରେଶ୍ଵର ଫାଣ୍ଡିକୁ ଥାନାରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା, ଓଳାଶୁଣୀ ଗୁମ୍ଫାର ଉନ୍ନତି ପାଇଁ କାର୍ଯ୍ୟ କରି ସେ ଜନସମର୍ଥନ ସାଉଁଟିବାରେ ସକ୍ଷମ ହୋଇଛନ୍ତି । ଏବେ ମଧ୍ୟ ସେ ବିଜେଡିର ଅସନ୍ତୁଷ୍ଟ କର୍ମୀଙ୍କ ସହିତ ଯୋଗସୂତ୍ର ରଖିଛନ୍ତି । ସେହିଭଳି ମାହାଙ୍ଗାର ବିଜେଡି ରାଜନୀତିରେ ଜୟନ୍ତ ଦାସଙ୍କର ଦବଦବା ମଧ୍ୟ ବଢିବାରେ ଲାଗିଛି । ସେ ସାମାଜିକ କର୍ମୀ ହିସାବରେ ନିଜର କାର୍ଯ୍ୟ ଜାରୀ ରଖିଛନ୍ତି । ବିଜେଡିରୁ ଟିକେଟ୍ ପାଇବା ପାଇଁ ଆଶାୟୀ ତାଲିକାରେ ନାମ ରହିଥିବା ଚର୍ଚ୍ଚା ହେଉଛି । ସେହିପରି ମାହାଙ୍ଗା ରାଜନୀତିରେ କଂଗ୍ରେସ ଦଳର ନେତା ଦେବେନ୍ଦ୍ର କୁମାର ସାହୁ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ଛାତ୍ର ଅବସ୍ଥାରେ ବହୁଦିନ ହେଲା ଦଳ ପାଇଁ କାର୍ଯ୍ୟ କରି ଶେଷରେ ୨୦୧୯ ମସିହାରେ କଂଗ୍ରେସରୁ ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ସେତେବେଳେ ସେକ୍ ମତଲୁବ୍ ଅଲୀ ତାଙ୍କର ବିରୋଧାଚରଣ କରି ବର୍ତ୍ତମାନର ବିଧାୟକ ପ୍ରତାପ ଜେନାଙ୍କ ସହିତ ମିଶି ନିର୍ବାଚନ ସମୟରେ ଦେବେନ୍ଦ୍ର କୁମାର ସାହୁଙ୍କୁ ଭୋଟ ନଦେବା ପାଇଁ ମଧ୍ୟ କଂଗ୍ରେସ କର୍ମୀମାନଙ୍କୁ ମତାଇଥିଲେ । ଗୋପାଳପୁର ସ୍କୁଲ ଓ ପ୍ରତିଭା ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତାପ ବାବୁଙ୍କ ସହ ଯୋଗଦେଇ ପ୍ରତାପ ବାବୁଙ୍କୁ ମାହାଙ୍ଗାର କର୍ମବୀର ବୋଲି ଉପାଧି ଦେବା ଏପରିକି ମଣୀଯୋରୀଠାରେ ବୈଷ୍ଣବ ପାଣି ଜୟନ୍ତୀରେ ସମ୍ମାନିତ କରିବା ତାଙ୍କ ସହିତ ଥିବା ସମସ୍ତ କଂଗ୍ରେସ ଲୋକ ଓ କର୍ମୀମାନଙ୍କୁ ବିଜେଡିକୁ ଭୋଟ ଦେବାକୁ କହିଥିବା ଚର୍ଚ୍ଚା ହୋଇଥିଲା । ତାହା ସତ୍ବେ ମଧ୍ୟ ଦେବେନ୍ଦ୍ର କୁମାର ସାହୁ ଦୃଢତାର ସହ ନିର୍ବାଚନ ଲଢି ହାରିବା ପରେ ମଧ୍ୟ ନିଜର କାର୍ଯ୍ୟଧାରାକୁ ଏବେ ମଧ୍ୟ ଜାରୀ ରଖିଛନ୍ତି । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଦଳୀୟ ସଂଗଠନ, ବୁଥ୍ କମିଟି ଗଠନ କାର୍ଯ୍ୟ ମଧ୍ୟ ଚାଲୁ ରଖିଛନ୍ତି । ଏବେ ମଧ୍ୟ ମାହାଙ୍ଗାରେ ତାଙ୍କର ଦବଦବା ରହିଛି । ଶାରଦା ପ୍ରଧାନ ମାହାଙ୍ଗାର ବିଜେପିର ଜଣେ ଜଣାଶୁଣା ନେତା । ନିର୍ବାଚନ ଲଢି ସେ ମାହାଙ୍ଗାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ସ୍ଵାଧୀନ ଭାବରେ ବି ୬୦ ହଜାରରୁ ଉର୍ଦ୍ଧ ଭୋଟ ପାଇ ମାହାଙ୍ଗାରେ ଇତିହାସ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ଦଳର ଟିକେଟରେ ୨୦୧୯ ନିର୍ବାଚନ ଲଢିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ସୁସମ୍ପର୍କ ରହିଛି । ଶ୍ରୀ ପ୍ରଧାନଙ୍କୁ ନେଇ ସେ ବିଭନ୍ନ ସମୟରେ ମାହାଙ୍ଗାରେ ସଭାସମିତି ଆୟୋଜନ କରୁଥିଲା ବେଳେ ଏବେ ଦେଖାଯାଉଛି ଯେ ବିଜେଡି ଦଳ ଛାଡି ବହୁ କର୍ମୀ ଅନ୍ୟ ଦଳକୁ ଚାଲିଗଲେଣି । ବିଗତ ଦିନରେ ତାଙ୍କର ମୁଖ୍ୟ ବୋଲାଉଥିବା କୁଳମଣି ବରାଳଙ୍କୁ ହତ୍ୟା କରାଗଲା ପରେ ବିଜେପିରେ ଶୂନ୍ୟତା ବଢୁଛି । କୁଳମଣି ବରାଳଙ୍କ ମୃତ୍ୟୁ ପରେ ଶାରଦା ପ୍ରଧାନ ଯେଉଁଭଳି ଭାବରେ ହୋ ହାଲ୍ଲା କରୁଥିଲେ ପରବର୍ତ୍ତୀ ସମୟରେ ତାହା ଦବି ଯାଇଥିଲା । କିନ୍ତୁ, ଏହି ଘଟଣାକୁ ନେଇ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ ପୋଲିସ ଏସ୍.ପି. ଅଫିସ ଘେରାଉ, ଥାନା ଘେରାଉ କରିବା ସହ ଏବେ ମଧ୍ୟ ଉକ୍ତ ମାମଲାରେ କିଭଳି ଭାବରେ୧୩ ନମ୍ବର ମୁଦାଲା ଦଣ୍ଡିତ ହେବେ ସେଥିପାଇଁ ଉଦ୍ୟମ ଜାରୀ ରଖିଛନ୍ତି । କିନ୍ତୁ, ବିଜେପି ନେତା ଶାରଦା ପ୍ରଧାନ ଏପର୍ଯ୍ୟନ୍ତ ପାଟି ଖୋଲୁନାହାଁନ୍ତି କି କୌଣସି ଦଳୀୟ କର୍ମୀଙ୍କ ଫୋନ୍ ମଧ୍ୟ ଉଠାଉ ନାହାଁନ୍ତି । ଏବେ ମାହାଙ୍ଗା ବିଜେପିରେ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ନିଜର ସଂଗଠନ ଆରମ୍ଭ କରି ଦେଇଛନ୍ତି । ମୂଳ ବିଜେପି କର୍ମୀ ଏବେ ପ୍ରଭାତ କେଶରୀ ମିଶ୍ରଙ୍କ ସହିତ ଅଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷତ ବ୍ୟକ୍ତି ଏହିଭଳି ପରିସ୍ଥିତିରେ ମାହାଙ୍ଗାରେ ବିଜେଡି ଓ ବିଜେପି ଦଳରୁ କିଏ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ପାଇବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
କଂଗ୍ରେସର ଦେବେନ୍ଦ୍ର କୁମାର ସାହୁଙ୍କର ସଂପର୍କ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ବର୍ତ୍ତମାନର ସଭାପତି ଶରତ ପଟ୍ଟନାୟକ ଓ ଏ.ଆଇ.ଆଇ.ସି.ର ସାଧାରଣ ସଂପାଦକ ଚେଲା କୁମାରଙ୍କ ସହିତ ରହିଥିବାରୁ ତାଙ୍କୁ କଂଗ୍ରେସ ଟିକେଟ୍ ପାଇବା ନେଇ କୌଣସି ସମସ୍ୟା ହେବନାହିଁ । ସେହିପରି ବିଜେଡି ଦଳରେ ଅନ୍ୟ ଏକ ଦଳର ନେତା ଯୋଗଦାନ କରିବା ଓ ଟିକେଟ ପାଇବା କଥା ଚର୍ଚ୍ଚାର ବିଷୟ ପାଲଟିଲାଣି । ମନ୍ତ୍ରୀପଦ ଗଲା ପରେ ପ୍ରତାପଙ୍କ ସଭାରେ ଆଉ ଲୋକ ଯୋଗଦେଉନଥିବା ବେଳେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ପ୍ରଲୋଭନ ଦେଖାଇ ଶିକ୍ଷାନୁଷ୍ଠାନ, ସାହିତ୍ୟ ସଭାକୁ ଅଣାଯାଉଛି । ଉକ୍ତ ସଭାମାନଙ୍କରେ ବିଜେଡି କର୍ମୀମାନଙ୍କ ଭିଡ ଜମୁଥିବା ଚର୍ଚ୍ଚା ହେଉଛି । ସମୟ କହିବ ଆଗାମୀ ନିର୍ବାଚନରେ ପ୍ରତାପଙ୍କ ଭାଗ୍ୟ କ’ଣ ହେବ । ମାହାଙ୍ଗାରେ ପ୍ରତାପଙ୍କ ପ୍ରତାପ କମୁଥିଲା ବେଳେ ତୃତୀୟ ମହଲାରେ ମଧ୍ୟ ପ୍ରତାପଙ୍କ ପ୍ରତାପ କମିଗଲାଣି । କର୍ମୀ ମଧ୍ୟ ବିଜେଡି ଦଳ ପ୍ରତି ମୁହାଁ ବୁଲାଉଥିବା ଜଣାପଡିଛି।