ସାଲେପୁର, କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶ ସୁରକ୍ଷା ଏବଂ ଗ୍ରାମାଞ୍ଚଳରୁ ଅଳିଆ ଆବର୍ଜନା ହଟାଇ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ସ୍ଵଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଯୋଜନାରେ ପଞ୍ଚାୟତ ସ୍ତରରେ ସ୍ଵଚ୍ଛତା ରକ୍ଷା ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାର ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି । ଏହି ଆବର୍ଜନା କୁଣ୍ଡଗୁଡିକରେ ଏକ ସ୍ଵତନ୍ତ୍ର ପ୍ରକ୍ରିୟାରେ ଅଳିଆ ଆବର୍ଜନା ପକାଇବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଗୋଟିଏ ପଂଚାୟତରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ସଦ୍ ବ୍ଯବହାର ହେଉନଥିବାରୁ ସ୍ଵଚ୍ଛ ଭାରତ ମିଶନ ଦିଗହରା ହୋଇଥିବା ଦେଖାଯାଇଛି ।
ନିୟମାନୁଯାୟୀ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ମିଶି ପରିମଳ ବିଭାଗ ପକ୍ଷରୁ ପ୍ରତ୍ୟେକ ପରିବାରରେ ୩୦୪୪ ଟଙ୍କା ଅନୁଦାନରେ ଗୋଟିଏ ଲେଖାଏଁ ଅଳିଆ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଉଛି । ଏହାପରେ ପ୍ରତ୍ୟେକ ୱାର୍ଡର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ୩୦ ହଜାର ଟଙ୍କା ଅନୁଦାନରେ ଏକ ଜୈବ ବିଘଟନ ଆବର୍ଜନା କୁଣ୍ଡ ଏବଂ ପ୍ରତ୍ୟେକ ପଞ୍ଚାୟତରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋଟିଏ ଲେଖାଏଁ ପୃଥକୀକରଣ ଗୋଷ୍ଠୀ ଆବର୍ଜନା କୁଣ୍ଡ ୧ ଲକ୍ଷ ୭୦ ହଜାର ଟଙ୍କା ଅନୁଦାନରେ ନିର୍ମାଣ କରାଯାଇଛି । ଯୋଜନାର ନିୟମାନୁଯାୟୀ ପରିବାରରେ ପକାଯାଉଥିବା ଆବର୍ଜନା କୁଣ୍ଡରୁ ଅଳିଆ ଆବର୍ଜନା ଆଣି ତାହାକୁ ୱାର୍ଡରେ ନିର୍ମାଣ କରାଯାଇଥିବା ଜୈବ ବିଘଟନ ଆବର୍ଜନା କୁଣ୍ଡରେ ପକାଯିବ । ସେଠାରୁ ଏକ ଟ୍ରଲି ସାହାଯ୍ୟରେ ଅଳିଆ ଆବର୍ଜନାଗୁଡିକ ଯାଇ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ପୃଥକୀକରଣ ଗୋଷ୍ଠୀ ଆବର୍ଜନା କୁଣ୍ଡରେ ବିଭିନ୍ନ ପ୍ରକାର ଅଳିଆକୁ ପୃଥକ୍ ପୃଥକ୍ କରାଯାଇ ରଖାଯିବ । ଏହା ପରିପୂର୍ଣ୍ଣ ହେବା ପରେ ଏହାକୁ ବ୍ଲକ କିମ୍ବା ବିଜ୍ଞାପିତ ଅଂଚଳକୁ ଯାଇ ସେଠାରେ ନଷ୍ଟ କରିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଗୋଟିଏ ପଂଚାୟତରେ ଅତିକମ୍ ରେ ୨୦୦ ପରିବାର ଅନ୍ତର୍ଭୁକ୍ତ କରାଯାଇ ଏଭଳି କୁଣ୍ଡ ନିର୍ମାଣରେ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଏହା କିଛି କାମରେ ଆସୁନାହିଁ । ଏଥିପାଇଁ ଅଳିଆ ବୋହିବା ନିମନ୍ତେ ଗୋଟିଏ ଲେଖାଏଁ ପଞ୍ଚାୟତକୁ ଦୁଇଟି ଲେଖାଏଁ ଟ୍ରଲି ମଧ୍ୟ ପ୍ରଦାନ କରାଯାଇଛି । ବିଭାଗୀୟ ଅବହେଳା ଓ ପଞ୍ଚାୟତର ଦାୟିତ୍ଵହୀନତା ପାଇଁ ଏହି ବ୍ଲକ ଅଧିନରେ ଥିବା ୪୧ ଗୋଟି ପଞ୍ଚାୟତରୁ ୨୮ ଗୋଟି ପଞ୍ଚାୟତରେ ଏହି ଯୋଜନା ଅନ୍ତର୍ଭୁକ୍ତ ହୋଇ ବିଭିନ୍ନ ଆବର୍ଜନା କୁଣ୍ଡ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନତକାଇ, ଜିଗ୍ନିପୁର, ଜୟରାମପୁର, ବରାଦୋ, ବୁହାଳ, ସରପଡା, ବାଲିଆପଦା, କଟିକଟା, କଟରପଡା, ମହମ୍ମଦପୁର, ମାଣପୁର ଆଦି ପଂଚାୟତ ଗୁଡିକରେ ଅଦ୍ୟାବଧି ଏହି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଅନେକ ପଞ୍ଚାୟତରେ ନିର୍ମାଣ ହୋଇଥିବା କୁଣ୍ଡ ଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ବହୁ ପଞ୍ଚାୟତରେ କୁଣ୍ଡରେ ଲୋକମାନେ ବର୍ଷାଦାଉରୁ ରକ୍ଷା କରିବା ପାଇଁ ଛଣ ଓ ଘସି ସାଇତି ରଖୁଥିବା ଦେଖିବାକୁ ମିଳୁଛି । ସରକାରଙ୍କର ଏହି ଯୋଜନା ସଠିକ୍ ଭାବେ ଫଳପ୍ରଦ ହେଲେ ପରିବେଶ ନିଶ୍ଚିନ୍ତଭାବେ ସୁରକ୍ଷା ହେବା ସହିତ ଗ୍ରାମାଂଚଳ ପରିଷ୍କାର ପରିଚ୍ଛନ୍ନତା ଓ ସ୍ଵଚ୍ଛତା ରହିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଯୋଜନା ସଂପର୍କରେ ଜନସଚେତନତା ଅଭାବରୁ ଏହାର ବ୍ୟବହାର ସଠିକ୍ ଭାବେ ହୋଇପାରୁନଥିବା ମଧ୍ୟ ଜଣାଯାଇଛି । ଏଥିପ୍ରତି ପରିମଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯୋଜନାକୁ ସଠିକ୍ ଭାବରେ ପରିଚାଳନା କରିବାକୁ ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି ।