ଗଞ୍ଜାମ, ବ୍ରହ୍ମପୁର ହର୍ବାଲ୍ ମେଳାର ଦ୍ବିତୀୟ ଦିନରେ ଆଜି ବିଭିନ୍ନ ଷ୍ଟଲରେ ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଛି । ଏହି ଷ୍ଟଲ୍ ଗୁଡିକରେ ବିଭିନ୍ନ ଆୟୁର୍ବେଦିକ ଔଷଧ, ଚେରମୂଳି, ଔଷଧ ଚାରା ଏବଂ ଆୟୁର୍ବେଦିକ ଚିକିତ୍ସା ସମ୍ବନ୍ଧିତ ପୁସ୍ତକ ପ୍ରଦର୍ଶନ ସହ ବିକ୍ରୀ କରାଯାଉଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ସ୍ଥାନୀୟ ଅଂଚଳରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ ବୈଦ୍ୟ, ଜଡ଼ିବୁଟି ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଏଥିରେ ଯୋଗ ଦେଇଛନ୍ତି । ମେଳାରେ ଆୟୁର୍ବେଦିକ ଡାକ୍ତର ମାନେ ରୋଗୀଙ୍କ ଚିକିତ୍ସା ସହ ପରାମର୍ଶ ଓ ଔଷଧ ପ୍ରଦାନ କରୁଛନ୍ତି । ବିଭିନ୍ନ ରୋଗ ସମ୍ପର୍କରେ ଆଲୋଚନାଚକ୍ର ସହ ସଚେତନତା ଓ ଚିକିତ୍ସା ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ ହେଉଛି । ପ୍ରତ୍ୟେହ ସଂନ୍ଧ୍ୟାରେ ଆଲୋଚନାଚକ୍ର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗତକାଲି ସଂନ୍ଧ୍ୟାରେ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର୍ ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ରାଜ୍ୟ ଔଷଧିୟ ବୃକ୍ଷ ପରିଷଦର ମୁଖ୍ୟ ପରିଚାଳନା ଅଧିକାରୀ ସୁଦୀପ ନାୟକ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ଏହି ମେଳା ଆସନ୍ତା ୨୦ ତାରିଖରେ ଉଦଯାପିତ ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୯ ମସିହାରୁ ବ୍ରହ୍ମପୁର ସହରରେ ଆୟୋଜିତ ହୋଇ ଆସୁଛି ହର୍ବାଲ୍ ମେଳା ।