ଭୁବନେଶ୍ୱର, ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱରରେ ତୈଳ ଯୋଗାଣ ସ୍ୱାଭାବିକ ହେବ ବୋଳଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଂଜୟ ଲାଠ୍ । ସେ କହିଛନ୍ତି ଯେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ଯୋଗୁଁ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ବର୍ତମାନ ତାହା ସ୍ୱାଭାବିକ ହୋଇଛି । ଜଟଣୀ, ପାରାଦୀପ ଓ ବାଲେଶ୍ୱର ଡିପୋରୁ ତେଲ ଯୋଗାଣ ହୋଇଛି । ତେବେ ଦୈନିକ ୫ଶହ ଗାଡ଼ି ତେଲ ଦରକାର ହୋଇଥିବା ବେଳେ ମାତ୍ର ୧୫୦ ଗାଡ଼ି ଆସୁଛି । ଭୁବନେଶ୍ୱରକୁ ଅଧିକ ତେଲ ପଠାଯାଇଛି । ତେଣୁ ସଂଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ । ସାରା ରାଜ୍ୟରେ ସ୍ୱାଭାବିକ ହେବାକୁ ୨ ରୁ୩ ଦିନ ଲାଗିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଭୟଭୀତ ହୋଇ ଅଧିକ ତେଲ ନକିଣିବାକୁ ସେ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଆନ୍ଦୋଳନ ଯୋଗୁଁ ତେଲ ଯୋଗାଣ ବାଧାପ୍ରାପ୍ତ ହେବାରୁ ସାଧାରଣ ଲୋକେ ଭୟଭୀତ ହୋଇ ଅଧିକପରିମାଣର ପେଟ୍ରୋଲ ଡିଜେଲ କିଣିଥିଲେ ।ଗତକାଲି ସଂଧ୍ୟାରେ ଗାଡିରେ ପେଟ୍ରୋଲ ଓ ଡିଜେଲ ପକାଇବା ପାଇଁ ପେଟ୍ରୋଲ ପମ୍ପରେ ସାଘାଂତିକ ଭିଡ ଦେଖିବାକୁ ମିଳିଥିଲା । ଆଜି ସକାଳୁ ମଧ୍ୟ ସମାନ ସ୍ଥିତି ଥିଲା । ଫଳରେ ବହୁ ପେଟ୍ରୋଲ ପମ୍ପରେ ତେଲ ଖାଲି ହୋଇଯାଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ଆଉଟ୍ ଅଫ୍ ଷ୍ଟକ୍ ର ବୋର୍ଡ ମାରି ଲୋକଙ୍କୁ ଫେରାଇ ଦେବାର ଦେଖାଯାଇଥିଲା । ତେବେ ତେଲ ଯୋଗାଣ ସ୍ୱାଭାବିକ ହେବା ଖବର ଲୋକଙ୍କୁ ଆଶ୍ୱସ୍ତି ଦେଇଛି ।