ନୂଆପଡ଼ା,ନୂଆପଡା ସଦର ବ୍ଲକ କଲ୍ୟାଣପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ନିଜ ଜମି ବିକ୍ରି ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପରମିଶନ ପାଇଁ ଆବେଦନ କରିଥିଲେ। ଏହି ଜମି ବିକ୍ରୀ ପାଇଁ ଦିଆଯାଇଥିବା ପରମିଶନ ନିମନ୍ତେ ନୂଆପଡା ତହସିଲ କାର୍ଯ୍ୟାଳୟକୁ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆସିଥିଲା। କିନ୍ତୁ, ରିପୋର୍ଟ ପ୍ରଦାନ ନେଇ ବାରମ୍ବାର କାର୍ଯ୍ୟାଳୟ ଦ୍ଵାରସ୍ଥ ହେବା ସତ୍ବେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା। ଶେଷରେ ଦିବ୍ୟାଙ୍ଗ ଯୁବକ ଜଗଦୀଶ ଚୌହାନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜଗଦୀଶଙ୍କ ଶରୀର ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲା ଠାରେ ଗତ ରାତି ୧୧ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ନିରୀହ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି।
କଲ୍ୟାଣପୁର ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ଆସି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।