ଫୁଲବାଣୀ, ଖଜୁରୀପଡା ବ୍ଲକ ମୁଖ୍ୟାଳୟ ଠାରେ ଡ୍ରାଇଭର ସଂଘ ତରଫରୁ ଦିବାରାତ୍ର ଆନ୍ଦୋଳନ ଅବ୍ୟାହତ ରହିଛି। ବ୍ଲକର ଶତାଧିକ ଡ୍ରାଇଭର ମାନଙ୍କ ସହ ଅଟୋ ଚାଳକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ଡ୍ରାଇଭର ସଂଘ ତରଫରୁ ୧୦ ଦଫା ଦାବୀନେଇ ଦିଆଯାଇଥିବା ଷ୍ଟିଅରିଂ ଛାଡ ଆନ୍ଦୋଳନ ଦିତୀୟ ଦିନରେ ପହଞ୍ଚିଥିବା ବେଳେ ଏଠାରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଦିବାରାତ୍ର ଆନ୍ଦୋଳନ ଜାରି ରହିଛି। ବର୍ତ୍ତମାନ ସ୍କୁଲ କଲେଜ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀ ମାନେ ଯେଭଳି ସୁରୁଖୁରୁରେ ଯାତାୟତ କରିବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି ସଂଘ ତରଫରୁ କୁହାଯାଇଛି। ସେହିଭଳି ଆମ୍ବୁଲାନ୍ସ, ପୋଲିସ ଅଗ୍ନିଶମ ଏବଂ ସରକାରୀ ଗାଡି ସୁରୁଖୁରୁରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି। ବେସରକାରୀ ଗାଡିର ମାଲିକ ମାନେ ନିଜେ ଗାଡି ଚଳାଉଥିବା ବେଳେ ଚାଳକ ମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ଚାଳକ ମାନଙ୍କ ବୀମା ରାଶି, ୫୫ ବର୍ଷ ପରେ ପେନସନ, ଡ୍ରାଇଭର ଆଇନ୍, ଏକ ଶହ କିଲୋମିଟର ଦୂରତାରେ ସ୍ଵତନ୍ତ୍ର ପାର୍କିଂ ଏବଂ ବିଶ୍ରାମାଗାର ତିଆରି, ରାସ୍ତାଘାଟରେ ଡ୍ରାଇଭର ମାନଙ୍କ ସୁରକ୍ଷା ସମ୍ମାନ, ପ୍ରତି ଚାଳକ ମାନଙ୍କ ପାଇଁ ଆବାସ ଯୋଜନା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ, ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ସୁବିଧା, ଲାଇସେନ୍ସ ପାଇଁ ବର୍ତ୍ତମାନ ଧାର୍ଯ୍ୟ ହୋଇଥିବା ଟଙ୍କାକୁ କମେଇବା ଏବଂ ଡ୍ରାଇଭର ମାନଙ୍କୁ ଦ୍ବିତୀୟ ସୈନିକ ମାନ୍ୟତା ଭଳି ବିଭିନ୍ନ ଦାବୀ ନେଇ ବ୍ଲକ ଡ୍ରାଇଭର ସଂଘ ସଭାପତି ବିଷ୍ଣୁ ଚରଣ ବେହେରା, ସମ୍ପାଦକ ଅଭିମନ୍ୟୁ କହଁରଙ୍କ ନେତୃତ୍ବରେ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ଖଜୁରୀପଡା ବ୍ଲକରେ ଚାଲିଥିବା ଡ୍ରାଇଭର ସଂଘ ଆନ୍ଦୋଳନକୁ ଜନସାଧାରଣଙ୍କ ସମର୍ଥନ ରହୁଥିବା ବେଳେ କିଛି ବ୍ଯକ୍ତି ବିଶେଷ ଗାଡି ମାଲିକ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛନ୍ତି। ରାଜ୍ୟ ସରକାର ଡ୍ରାଇଭର ସଂଘ ତରଫରୁ ହୋଇଥିବା ଦାବିପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସମସ୍ତ ଡ୍ରାଇଭର ପ୍ରକାଶ କରିଛନ୍ତି।