ଭୁବନେଶ୍ୱର,ଗତକାଲିର ନିଷ୍ପତିରେ ଅଟଳ ରହିଲେ ପ୍ରାଥମିକ ଶିକ୍ଷକ । ସରକାରଙ୍କ ଅନୁରୋଧ ସତ୍ୱେ ଗୁରୁବାର ଦିନ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ ସ୍କୁଲରେ ଯୋଗଦେଇଛନ୍ତି । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ ଶିକ୍ଷାଦାନ କରୁଥିବାର ଦେଖାଦେଇଛି । ୟୁନିଫର୍ମ ପାଇଁ ସରକାର ଭତା ଦେଉନଥିବାରୁ ଏହାକୁ ବର୍ଜନ କରିବାକୁ ଗତକାଲି ପ୍ରାଥମିକ ଶିକ୍ଷକ ଷ୍ଟିଅରିଂ କମିଟି ବୈଠକରେ ନିଷ୍ପତି ନିଆଯାଇଥିଲା ।
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ପଦ ଛାଡିବେ । ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରୁ ଦୂରେଇ ରଖିବେ । ଯେଉଁମାନେ ସିଆରସିସି ପଦରେ ରହିଛନ୍ତି ସେମାନେ ଇସ୍ତଫା ଦେବେ । ୩ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରାଜ୍ୟ ସରକାରଙ୍କୁ ସମସ୍ତ କ୍ଷେତ୍ରରେ ଅସହଯୋଗ କରିବେ ବୋଲି ନିଷ୍ପତି କରାଯାଇଥିଲା । ଲୋୟର ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ନମିଳିବା ପରେ ପ୍ରଦର୍ଶନୀ ପଡିଆରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ହୋଇଥିଲେ । ସେଠାରେ ବୈଠକ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିବାକୁ ସେମାନେ ରାଜି ହୋଇଥିଲେ ହେଁ ୟୁନିଫର୍ମ ବର୍ଜନ କରିବା ନିଷ୍ପତିରେ ଅଟଳ ରହିଥିଲେ ।