ଭୁବନେଶ୍ୱର, ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ମାଲ ପରିବହନ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ମଧ୍ୟ ଦେଖିବାକୁ ମିଳିଛି । ପେଟ୍ରୋଲ ଡିଜେଲ ଟ୍ୟାଙ୍କର ଗୁଡିକ ଅଟକି ରହିଥିବାରୁ ପେଟ୍ରୋ ପମ୍ପ ଗୁଡିକରେ ତେଲ ସରି ସରି ଆସିଲାଣି । ଆସନ୍ତାକାଲି ରାଜ୍ୟରେ ଗଚ୍ଛିତ ଥିବା ପେଟ୍ରୋଲ ଓ ଡିଜେଲ୍ ଶେଷ ହୋଇଯିବ । ତେବେ ଆଜି ଆନ୍ଦୋଳନ ପ୍ରତ୍ୟାହାର ହୋଇପାରିଲେ କାଲିକି ସମସ୍ୟା ହେବନି । କିଛି ଛୋଟ ପେଟ୍ରୋଲ୍ ପମ୍ପ୍ ରେ ଷ୍ଟକ୍ ସରିଥାଇ ପାରେ । କିନ୍ତୁ ବଡ଼ ପେଟ୍ରୋଲ ପମ୍ପ୍ ରେ ପେଟ୍ରୋଲ୍ ଷ୍ଟକ ରହିଛି । ଗ୍ରାହକମାନେ ବ୍ୟସ୍ତ ହୋଇ ଅଧିକ ପେଟ୍ରୋଲ କିଣନ୍ତୁ ନାହିଁ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବନ୍ଦ ହେବା ଆରମ୍ଭ ହେଲାଣି । ଡିପୋରେ କିଛି ପେଟ୍ରୋଲ ଡିଜେଲ ଟ୍ୟାଙ୍କର ଅଟକିଛି । ତେଲ ଟ୍ୟାଙ୍କର ଗାଡ଼ି ଆସି ପାରୁ ନଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି । ଲୋକେ ବ୍ୟତିବ୍ୟସ୍ତ ହେଇ ଅଧିକ ପେଟ୍ରୋଲ କି ଡିଜେଲ କିଣିଲେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍ ସରିଯିବ । ରାଜ୍ୟରେ ଦିନକୁ ୬ ହଜାର ଲିଟର ଡିଜେଲ ଓ ୨୭୫୦ କିଲୋ ଲିଟର ପେଟ୍ରୋଲ ଆବଶ୍ୟକ ହେଉଛି । ଯୋଗାଣ ବ୍ୟାହତ ହେଲେ ଗଚ୍ଛିତ ତେଲ ଜଲଦି ସରିଯିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ବନ୍ଦ ନ ହେଲେ ସାରା ରାଜ୍ୟରେ ଏହାର ପ୍ରଭାବ ପଡ଼ିବ ।