-
ବନ ବିଭାଗ ଓ ପୋଲିସ ପକ୍ଷରୁ ଛାନଭିନ୍ ଜାରୀ
ପୁରୀ, ପାରାଦୀପ ପରେ ଅସ୍ତରଙ୍ଗରୁ ଠାବ ହୋଇଛି ଆଉ ଏକ ସନ୍ଦିଗ୍ଧ ପାରା । ଏହି ପାରାକୁ ନେଇ ବଢିଛି ସସପେନ୍ସ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ମୌଜାର ପତିସାହିରୁ ଗତକାଲି ଏହି ପାରା ଉଦ୍ଧାର ହୋଇଛି । ତେବେ ପାରାଟି କେଉଁ ଆଡୁ ଏଠାକୁ ଆସିଛି, କିଏ ଏହାକୁ ପଠାଇଛି ସେନେଇ ତଦନ୍ତ କରୁଛି ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ ।
ଗତକାଲି ଗ୍ରାମର ରୂପନ ପତିଙ୍କ ଘରର ଛାତ ଉପରେ ପାରାଟି ବସିଥିଲା । ତାର ଗୋଡ଼ରେ ଏକାଧିକ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ଜାଲ ପକାଇ ପାରାଟିକୁ କାବୁ କରିଥିଲେ ରୂପନ । ପରେ ସେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ ଗତକାଲି ରାତିରେ ଘଟଣାସ୍ଥଳରେ ପହଂଚି ପାରାଟିକୁ ଉଦ୍ଧାର କରିବା ସହ ଏହାକୁ ଥାନାରେ ଆଣି ରଖିଥିଲା । ଆଜି ସକାଳେ ଅସ୍ତରଙ୍ଗ ବନ ବିଭାଗର କର୍ମଚାରୀ ମାନେ ଥାନାରେ ପହଂଚି ପାରାଟିକୁ ଅସ୍ତରଙ୍ଗ ପଶୁ ଚିକିତ୍ସାଳୟକୁ ଆଣି ତାର ଚିକିତ୍ସା କରାଇଛନ୍ତି । ଏହାପରେ ବନ ବିଭାଗର ବିଶେଷଜ୍ଞ ଟିମ୍ ଏହା ଉପରେ ତଦନ୍ତ କରିବେ । ତଦନ୍ତ ପରେ ପାରାଟି ଏଠାକୁ କେମିତି ଆସିଲା, କେଉଁଠୁ ଆସିଲା ଏବଂ ପାରାର ଗୋଡ଼ରେ ଏହି ଟ୍ୟାଗ୍ ଗୁଡିକ କାହିଁକି ଲାଗିଛି ତାହା ସ୍ପଷ୍ଟ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଥାଉକି, ଗତ କିଛିଦିନ ତଳେ ପାରଦୀପରେ ଏକ ଟ୍ରଲର ଉପରେ ବସିଥିବା ଗୋଟିଏ ସନ୍ଦିଗ୍ଧ ପାରାକୁ ମତ୍ସ୍ୟଜୀବୀମାନେ ଧରିଥିଲେ । ପରେ ଏହାକୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଏହି ପାରାର ଗୋଡ଼ରେ ଜିପିଏସ୍ ଚିପ୍ ଓ କ୍ୟାମେରା ଲାଗିଥିଲା । ପୁଲିସ ଘଟଣାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ପାରା ସମ୍ପର୍କରେ ସ୍ପଷ୍ଟ କରାଯାଇ ପାରିନାହିଁ ।