ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ତଥା ଓଡିଶା ମାଟିର ସର୍ବ ପୁରାତନ ଅନନ୍ୟ ଐତିହ୍ଯ ସମ୍ପହ୍ନ ରାଣୀପୁର ଝରିଆଲ ଆଦୀଯୋଗିନୀ ତନ୍ତ୍ରପୀଠ ଉପରେ ବିଳମ୍ବରେ ହେଲେହେଁ ରାଜ୍ଯ ସରକାରଙ୍କ ଦୃଷ୍ଟି ପଡିଛି। ସମଗ୍ର ପୃଥିବୀରେ ୬୪ ଯୋଗିନୀ ପୀଠ ଚାରୋଟି ସ୍ଥାନରେ ଥିବାବେଳେ ଓଡିଶାରେ ଦୁଇଟି। କିନ୍ତୁ, ରାଣୀପୁର ଝରିଆଲ ଏ ମଧ୍ୟରେ ଅନ୍ୟତମ । ଲୋକେ ଏହି ପିଠକୁ ସୋମପୁରୀ ବୌଦ୍ଧବିହାର ବି କହନ୍ତି। ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶୀମାନଙ୍କ ଦ୍ବାରା ନିର୍ମିତ ଏହି ପିଠ ତନ୍ତ୍ର, ମନ୍ତ୍ର, ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ଜୈନ ଓ ବୌଦ୍ଧ ଧର୍ମର ଅପୂର୍ବ ସମନ୍ଵୟ ଦେଖିବାକୁ ମିଳେ। ହେଲେ ଶତାବ୍ଦୀ ଶତାବ୍ଦୀ ଧରି ଏ ମାଟିର ଐତିହ୍ଯ ଗର୍ବ ଓ ଗୌରବର ବାନା ଉଡାଉଥିବା ପୀଠକୁ ବଞ୍ଚାଇ ରଖିବାକୁ ଅଞ୍ଚଳବାସୀ ଓ ମନ୍ଦିର କମିଟି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ଠାରେ ବାରମ୍ବାର ଅନୁରୋଧ କରି ଆସୁଥିଲେ। ଏହାକୁ ନଜରରେ ରଖି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ବିଧାନସଭାରେ ବାରମ୍ବାର ରାଣୀପୁର ଝରିଆଲର ବିକାଶ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ରାଜ୍ଯ ସରକାର ଓଡିଶା ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡକୁ ଚଳିତବର୍ଷ ଫେବୃଆରୀ ୨୪ ତାରିଖ ଚିଠି ନମ୍ବର ୧୯୮୭ ଆଦେଶ ପତ୍ର ଅନୁଯାୟୀ ରାଣୀପୁର ଝରିଆଲର ଇନଫାଷ୍ଟ୍ରକଚର ଡେଭଲପମେଣ୍ଟ ପାଇଁ ୪ କୋଟି ଟଙ୍କାର ଏଡମିନିଷ୍ଟ୍ରେଟିଭ ଏପ୍ରୁଭାଲ ହୋଇଥିବା ଓ ଏହି ଚାରି କୋଟି ଟଙ୍କାରେ ଏଣ୍ଟ୍ରାନ୍ସ ଗେଟ, ରାସ୍ତା, ପାର୍କିଙ୍ଗ ଏରିଆ, ମଲ୍ଟି ପ୍ରପୋଜ ବିଲ୍ଡିଂ, ଟଏଲେଟ ବ୍ଲକ, ସୋମେଶ୍ବର ମନ୍ଦିରକୁ ରାସ୍ତା, ପଦ୍ମ ପୋଖରୀରେ ବନ୍ଧ ନିର୍ମାଣ ଭଳି ଅନେକ ଉନ୍ନୟନ କାମ ହେବାପାଇଁ ସ୍ଥିର ହୋଇଥିବା ଜଣାପଡିବା ପରେ ଏ ବିଷୟରେ ବଲାଙ୍ଗୀର ଟୁରିଷ୍ଟ ଅଫିସର ରବୀନ୍ଦ୍ର କୁମାର ଦଲାଇଙ୍କୁ ପଚାରିବାରୁ ସେ ଏହା ବଜେଟରେ ଟଙ୍କା ଏଲଟମେଣ୍ଟ କରାଗଲା ଏ ବିଷୟରେ ମୁଁ ଜିଲ୍ଲାପାଳଙ୍କ ସହ ବି ଆଲୋଚନା କରୁଥିଲି, କାମ ଆରମ୍ଭ ହେବାପାଇଁ କିଛି ସମୟ ଲାଗିପାରେ କାହିଁକି ନା ଏଏସଆଇକୁ କାମ କରିବା ପାଇଁ ସହମତି ମଗାଯିବ ଏବଂ ଆଉ କିଛି କାଗଜପତ୍ର କାମ ମଧ୍ୟ ରହିଛି କିନ୍ତୁ କାମ ହେବ ବୋଲି କହିଥିଲେ। ହେଲେ ଏପଟେ ଏତେଦିନ ପରେ ଯୋଗିନୀ ପୀଠର ବିକାଶ ପାଇଁ ସରକାର ଆଗକୁ ଆସିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଏବଂ ବିଭିନ୍ନ ସୋସିଆଲ ମିଡିଆରେ କଣ୍ଟାବାଞ୍ଜି ବିଧାୟକ ସାଲୁଜା ଓ ରାଜ୍ଯ ସରକାରଙ୍କୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି। ମନ୍ଦିର କମିଟି ମଧ୍ୟ ଧନ୍ୟବାଦ ଜଣାଇଛି।
ପ୍ରକାଶ ଥାଉକି, ବଲାଙ୍ଗୀର ଜିଲ୍ଲାର ଭୀମ ଡୁଙ୍ଗରୀକୁ ୬ କୋଟି ୬୬ ଲକ୍ଷ ଓ ରାଣୀପୁର ଝରିଆଲକୁ ୪ କୋଟି ଟଙ୍କା ଅନୁମୋଦନ ହୋଇଛି।