
ଭୁବନେଶ୍ୱର, ଭୁବନେଶ୍ୱର ଲୋୟର ପିଏମଜି ଠାରେ ଗତକାଲି ଠାରୁ ଅହୋରାତ୍ର ଧାରଣାରେ ବସିଥିବା ଆଶାକର୍ମୀ ଗୁରୁବାର ଆନ୍ଦୋଳନରୁ ଓହରିଛନ୍ତି । ଆଶାକର୍ମୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚାର ପ୍ରତିନିଧି ଦଳ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର୍ ତଥା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ମୋର୍ଚ୍ଚାର ଆବାହକ ବିଜୟ ଜେନା, ନମିତା ସାହୁ, ମାତିଲଦା କୁଲୁ, ଉମି ଗୁପ୍ତା, ବିଜୟଲକ୍ଷ୍ମୀ ସିଂ, ମମତା ଖଣ୍ଡାୟତରାୟ, ଯାଜ୍ଞସେନୀ ପ୍ରଧାନ ପ୍ରମୁଖ କମିଶନରଙ୍କ ସହିତ ୧୩ ଦଫା ଦାବି ନେଇ ଆଲୋଚନା କରିଥିଲେ । ମାସିକ ଭତା ବୃଦ୍ଧି, ନିଶ୍ଚିତ ଇନ୍ସେଂଟିଭ୍ ଭତାରେ ସାମିଲ କରିବା, ବରିଷ୍ଠତା ଭିତିରେ ଏ.ଏନ୍.ଏମ୍. ପଦବୀକୁ ପଦୋନ୍ନତି ଇତ୍ୟାଦି ବିଷୟରେ ସକାରାତ୍ମକ ଆଲୋଚନା ସହ କମିଶନର୍ଙ୍କ ସୁପାରିଶ୍କ୍ରମେ ରାଜ୍ୟ ସରକାର ଖୁବ୍ ଶୀଘ୍ର ଘୋଷଣା କରିବେ ବୋଲି ପ୍ରତିଶ୍ରୁତି ପରେ ଆଜି ଦ୍ୱିତୀୟ ଦିନରେ ଚାଲିଥିବା ଏହି ଅହୋରାତ୍ର ଗଣଧାରଣା ସ୍ଥଗିତ ହୋଇଛି ।