
ଭୁବନେଶ୍ୱର, ଗତ ଦୁଇଦିନ ଧରି ରାଜ୍ୟରେ ଚାଲିଥିବା ଡ୍ରାଇଭର ଧର୍ମଘଟ ଯୋଗୁଁ ଜୀବନ ଯାତ୍ରା ଓ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହାର ସୁଯୋଗ ନେଇ ଅସାଧୁ ଟ୍ୟାକ୍ସି ଓ ଅଟୋ ଡ୍ରାଇଭରମାନେ ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀମାନଙ୍କୁ ଲୁଟିବାରେ ଲାଗିଛନ୍ତି । ଶହ ଶହ ଯାତ୍ରୀ ଦୂର ଯାଗାକୁ ଯିବାପାଇଁ ବିଭିନ୍ନ ବସ୍ଷ୍ଟାଣ୍ଡରେ ଅପେକ୍ଷା କରି ରହିଛନ୍ତି । ତେଲ ଟ୍ୟାଙ୍କର ନ ଆସିବାରୁ ବିଭିନ୍ନ ସହରର ତେଲ ଟାଙ୍କିରେ ପେଟ୍ରୋଲ୍, ଡିଜେଲ୍ର ଅଭାବ ଦେଖାଦେଇଛି । ଫଳରେ ଖୁଚୁରା ଦୋକାନୀମାନେ ଖୋଲାରେ ତେଲର କଳାବଜାର କରୁଛନ୍ତି । ସେହିଭଳି ଅସାଧୁ ବ୍ୟବସାୟୀମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଚାପିରଖି ଦର ବଢାଇବାରେ ବ୍ୟସ୍ତ । ପନିପରିବାର ଦର ଆକାଶଛୁଆଁ ହୋଇଛି । ତେଣୁ ସାଧାରଣ ଲୋକଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ତୁରନ୍ତ ଡ୍ରାଇଭର ଧର୍ମଘଟରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି ।