ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ଥିତ ରାଧାମୋହନ ଜୀଉ କୀର୍ତ୍ତନ ମଣ୍ଡଳୀର ନୂତନ ନିର୍ମିତ ବୃହତ୍ ବିମାନର ପୂଜା ହୋଇଯାଇଛି । ଖବର ମୁତାବକ, ରାଧାମୋହନ ଜୀଉ କୀର୍ତ୍ତନ ମଣ୍ଡଳୀର ଦୀର୍ଘ ବର୍ଷ ଧରି କଳାଶିଶୁ କାଠରେ ନିର୍ମିତ ବିମାନରେ ଠାକୁର ନଗର ବୁଲୁଥିଲେ । ଏଥିସହ ଏହି ବିମାନ ଯୋଗେ ପିଟାପିଟି, ଭଅଁରପୁର, ବଡ ପଳାଶପାଳ, ଘଟଗାଁ, ମନୋହରପୁର ଭଳି ବିଭିନ୍ନ ମେଲଣ ମହୋତ୍ସବରେ ଯୋଗ ଦେଉଥିଲେ ରାଧାମୋହନ ଜୀଉ । ଚଳିତ ବର୍ଷ କୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟଙ୍କ ଚେଷ୍ଟା ଓ ପରିଶ୍ରମରେ ନୂତନ ଭାବେ ବୃହତ୍ ବିମାନ ନିର୍ମାଣ କରାଯାଇଛି । ଆସନ୍ତା ୧୮ ତାରିଖ ଶନିବାର ହରିଚନ୍ଦନପୁର ଠାରେ ମେଲଣ ଉତ୍ସବରେ ଏହି ନୂତନ ନିର୍ମିତ ବିମାନରେ ରାଧାମୋହନ ନଗର ପରିକ୍ରମାରେ ବାହାରି ମେଲଣ ମଣ୍ଡପକୁ ଯିବାର ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବରୁ ଏ ଆଖପାଖ ଅଞ୍ଚଳରେ ଏହିଭଳି ବୃହତ୍ ବିମାନ ନଥିବା ବେଳେ ପ୍ରଥମେ ହିଁ ରାଧାମୋହନ ଜୀଉ କୀର୍ତ୍ତନ ମଣ୍ଡଳୀ ନିର୍ମାଣ କରିଛି । ଏହି ନୂତନ ନିର୍ମିତ ବୃହତ୍ ବିମାନକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି । ସାଧାରଣତଃ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ବିମାନ ଦେଖି କୀର୍ତ୍ତନ ମଣ୍ଡଳୀର ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି । ଏହି ବିମାନଟି ଗମ୍ଭାରୀ କାଠରେ ନିର୍ମିତ ହୋଇଥିବା ବେଳେ ଏହାକୁ ବୋହିବା ପାଇଁ ପ୍ରାୟ ୧୮ଜଣରୁ ଅଧିକ ଲୋକ ଦରକାର ପଡ଼ିବେ ବୋଲି କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ସୂଚନା ରହିଛି । ଏହି ବିମାନ ପୂଜା ଉତ୍ସବରେ କୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟଙ୍କ ସହ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବାସିନ୍ଦା ଉପସ୍ଥିତ ଥିଲେ ।
Related Stories
November 22, 2024