-
ଜଗନ୍ନାଥଙ୍କ ଜମି ଉପରେ ସମ୍ରାଟ କମ୍ପ୍ଲେକ୍ସ ତିଆରି ହୋଇଛି ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଅସ୍ତିତ୍ୱ ହରାଇବ କି ସମ୍ରାଟ କମ୍ପ୍ଲେକ୍ସ ? ଭଙ୍ଗାଯିବ କି ସମ୍ରାଟ କମ୍ପ୍ଲେକ୍ସର କୋଠା ? ହଟିବ ଜବରଦଖଲ ? ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ରାଟ କମ୍ପ୍ଲେକ୍ସ ଜମି ନେଇ ତହସିଲଦାରଙ୍କୁ ଚିଠି ଦିଆଯିବା ପରେ ଉଠିଛି ଏମିତି କିଛି ପ୍ରଶ୍ନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏମିତି ଚିଠି ପାଇବା ପରେ ରାଜସ୍ୱ ବିଭାଗ ଏହାର କାଗଜପତ୍ର ଯାଞ୍ଚ କରିବ ବୋଲି ଜଣାଯାଇଛି । ଯଦି ଏପରି ଅଭିଯୋଗରେ ସତ୍ୟାସତ୍ୟ ଥାଏ ତେବେ ସମ୍ରାଟ କମ୍ପ୍ଲେକ୍ସ କୋଠା ଭଙ୍ଗା ଯାଇପାରେ | ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗପତ୍ର ଆମେ ଗ୍ରହଣ କରିଛୁ । ଏହାର ତର୍ଜମା କରାଯିବ ।ଯଦି ଏହା ଶ୍ରୀମନ୍ଦିର ପ୍ରଶାସନ ଜମିରେ ଥାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ କହିବା ଅନୁଯାୟୀ, ସମ୍ରାଟ କମ୍ପ୍ଲେକ୍ସ ରହିଥିବା ଜମିରୁ ଶ୍ରୀମନ୍ଦିର ପ୍ରଶାସନ ନାମରେ ୨୨ ଡିସିମିଲ ଜମି ରହିଛି। ଘରୋଇ ମାଲିକାଙ୍କ ନାମରେ ସାଢେ ତିନି ଡିସିମିଲ ଜମି ରହିଛି। ତେବେ ସେ କେଉଁ ହିସାବରେ ଏହାକୁ ଦଖଲ କରିଛନ୍ତି ଏହାର ତଦରଖ ଚାଲିଛି । ଯାଞ୍ଚ ପରେ ଏହା ଜଗନ୍ନାଥଙ୍କ ଜମି ବୋଲି ପ୍ରମାଣିତ ହେଲେ ଜବରଦଖଲ ହଟାଇବାକୁ ପଦକ୍ଷେପ ନିଆଯିବ ।
ସୂଚନାଥାଉ କି, କିଛିଦିନ ତଳେ ଏହି ସମ୍ରାଟ କମ୍ପ୍ଲେକ୍ସରେ ନିଆଁଲାଗି ଯାଇଥିଲା ଯାହାକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ନାକେଦମ ହୋଇଥିଲେ । ଦୀର୍ଘ ୩ ଦିନପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠିତ ହୋଇଥିଲା । ଏହି ଟିମ ତାର ରିପୋର୍ଟ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ନକଟରେ ଦାଖଲ କରିଛନ୍ତି ।