-
ଗୀତଗୋବିନ୍ଦର ରାଧାକୃଷ୍ଣଙ୍କ ରୀତିଯୁଗୀୟ ପ୍ରେମକୁ ଜଉରଙ୍ଗରେ ଫୁଟାଇଲେ କେଶୁଦାସ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ – ବାଲେଶ୍ଵରୀ ଲୋକକଳା ଭାବେ ଖ୍ୟାତ ଜଉକଣ୍ଢେଇ ବିଶ୍ବବିଦିତ। ଏହାକୁ ବାଲେଶ୍ଵରରୁ ବିଶ୍ଵ ଦରବାର ପର୍ଯ୍ୟନ୍ତ ନେଇଯିବା କ୍ଷେତ୍ରରେ ବରିଷ୍ଠ ଚିତ୍ରଶିଳ୍ପୀ କେଶୁ ଦାସଙ୍କ ଅବଦାନ ଅନସ୍ଵୀକାର୍ଯ୍ୟ। ଦୀର୍ଘ ୧୭ ବର୍ଷ ଧରି ବାଲେଶ୍ଵରବାସୀଙ୍କ ସହଯୋଗ କ୍ରମେ ବିଲୁପ୍ତ ହେବାକୁ ବସିଥିବା ଏହି ଲୋକକଳା ‘ଜଉକଣ୍ଢେଇ’କୁ ପୁନଃପ୍ରତିଷ୍ଠା କରି ଏକ ମାଇଲଖୁଣ୍ଟ ତିଆରି କରିଛନ୍ତି।
ଜଉକଣ୍ଢେଇ ତାଙ୍କ ଜୀବନ ଓ ଜିଜୀବିଷା। ଜଉକୁ ନେଇ ନାନା ପ୍ରକାର ଏକ୍ସପେରିମେଣ୍ଟ୍ ହେଉଛି ତାଙ୍କ ନିଶା। ଏହି ଜଉରୁ କଣ୍ଢେଇ ତିଆରି କରିବା ପରେ ସେଥିରେ ଅନୁପ୍ରାଣିତ ହୋଇ କାନଭାସରେ ଜଉଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ସେ ୧୨ ବର୍ଷ ତଳେ । ଭାରତୀୟ ଜଉକୁ ନେଇ କାନଭାସରେ ଚିତ୍ର ଆଙ୍କିଥିବା ଏକମାତ୍ର ଶିଳ୍ପୀ ହେଉଛନ୍ତି କେଶୁଦାସ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ୨୦୧୪-୧୬ ମସିହାରେ ସିନିୟର୍ ଫେଲୋସିପ୍ ପାଇ ଏହି ଜଉ ମାଧ୍ୟମରେ ଚିତ୍ରକଳାକୁ ବିକାଶିତ କରିପାରିଥିଲେ ସେ। ୨୦୦୭ରୁ ଆରମ୍ଭ କରିଥିବା ଜଉ ଚିତ୍ରର ବହୁ ପରୀକ୍ଷା ନିରୀକ୍ଷା କରି ଶେଷରେ ଭାରତୀୟ କଳା ଜଗତକୁ ଏକ ଚିତ୍ରର ଏକ ନୂଆ ‘ମିଡିୟମ୍’ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି। ଏହା ପ୍ରାକୃତିକ ରଙ୍ଗ ହୋଇଥିବା ବେଳେ ଏହି ରଙ୍ଗକୁ ଗରମ ଓ ଥଣ୍ଡା କରି ନିଜର ଭାବନାକୁ ରୂପ ଦେଇହୁଏ । ଏଥିରେ ନୂଆ ନୂଆ ଟେକ୍ସଚର୍ ସୃଷ୍ଟି କରିହୁଏ। ଫଳରେ ଚିତ୍ରଜଗତରେ କେଶୁ ନିର୍ମାଣ କରିଛନ୍ତି ଏକ ନୂତନ ଧାରା। ଏହି ଜଉଚିତ୍ର କେବଳ ବି ମୟେଶ୍ଚର ହେବ ନାହିଁ ବୋଲି ଶିଳ୍ପୀ ଦାସ ଜୋର୍ ଦେଇ ଗଣମାଧ୍ୟମ କୁ କହିଛନ୍ତି।
ତାଙ୍କର ଜଉଚିତ୍ର ସବୁ ଆଦୃତ ହୋଇ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଯୁବ ବିକାଶ, ବାଲେଶ୍ବର, ମଉନ ଧ୍ବନି ଫାଉଣ୍ଡେସନ, ବାଙ୍ଗାଲୋର, ସିଏନଜୀ, କେରଳ, ଜଳେଶ୍ବର ଆର୍ଟ ଫାଉଣ୍ଡେସନ,ଜଳେଶ୍ବର, ପ୍ରବଳ ପରମାଣିକ ସୋସାଇଟି ଅଫ ଆର୍ଟ ଏକାଡେମୀ, ପାଠାନକୋଟ, ପଞ୍ଜାବ, ନୋସି, ବାଲେଶ୍ବର, ଜୀବ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରଭୃତି ସ୍ଥାନରେ ସଂଗୃହୀତ ହୋଇ ରହିଛି ।
ଏବେ ପୁଣିଥରେ କେଶୁଦାସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରବଳ ପରମାଣିକ ସୋସାଇଟି ଅଫ୍ ଆର୍ଟ ଏକାଡେମୀ, ମ୍ୟୁଜିୟମ ଅଫ୍ କାଙ୍ଗ୍ରା ଆର୍ଟ ଓ ଜଳେଶ୍ବର ଆର୍ଟ ଫାଉଣ୍ଡେସନ୍ ମିଳିତ ସହଭାଗିତାରେ ହିମାଚଳ ପ୍ରଦେଶର ଦେବଗଡ ଠାରେ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି ଏକ ଚିତ୍ର କର୍ମଶାଳା। ଏହି ଆନ୍ତର୍ଜାତିକ ଶୀତକାଳୀନ ଚିତ୍ର କର୍ମଶାଳାରେ ଶିଳ୍ପୀ ଦାସ ଯୋଗଦେଇ ନିଜ ସ୍ବକୀୟ ଶୈଳୀ ଓ ବିଷୟବସ୍ତୁର ଚିତ୍ର ଆଙ୍କି ପାଲଟି ଯାଇଛନ୍ତି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ।
ଏହି କର୍ମଶାଳାରେ ଭାରତର ୧୨ଜଣ, ସ୍ଳୋଭେନିଆର ୩, ନେପାଳର ୨, ଭିଏତନାମ ୪, ଥାଇଲାଣ୍ଡ ୫ ଜଣ ଏହିପରି ମୋଟ ୨୬ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ । ଥାଇଲାଣ୍ଡର ଶିଳ୍ପୀମାନେ ସୁନ୍ଦର ଜଳ ରଙ୍ଗ ଚିତ୍ର କରିଥିବା ବେଳେ ସ୍ଳୋଭେନିଆର ଶିଳ୍ପୀମାନେ ସମସାମୟିକ ଚିତ୍ର କରିଥିଲେ, ଭିଏତନାମ ଶିଳ୍ପୀମାନେ ଏକ୍ରାଲିକ ରଙ୍ଗରେ ସୁନ୍ଦର ହିମାଳୟର ଚିତ୍ର କରିଥିବା ବେଳେ ନେପାଳର ଶିଳ୍ପୀମାନେ ନେପାଳର ପାରମ୍ପାରିକ କଥାବସ୍ତୁ କୁ ଚିତ୍ରିତ କରିଥିଲେ । ସ୍ଥାନୀୟ ହିମାଚଳର ଶିଳ୍ପୀ ତିନିଜଣ ପାହାଡୀ ମିନୀୟେଚର ଚିତ୍ରକଳା ଉପରେ ପ୍ରାଧାନ୍ୟ ଦେଇଥିବା ବେଳେ କଲିକତା ଓ ପଞ୍ଜାବ ଶିଳ୍ପୀ ନିଜ ନିଜର ଭାବନାକୁ ଆକ୍ରିଲିକ୍ ରଙ୍ଗରେ ରୂପାୟିତ କରିଥିଲେ ।
ସେହିପରି ଅନ୍ୟତମ ଆୟୋଜକ ତଥା ଓଡ଼ିଶାର ଯୁବ ଚିତ୍ରଶିଳ୍ପୀ ମୁକ୍ତିପଦ ନନ୍ଦୀ ସମସାମୟିକ ପରିବେଶକୁ ଦର୍ଶାଇ ଥିବାବେଳେ ଶଶଧର ପତି ମାନବ ଜୀବନର ତିନୋଟି ଅବସ୍ଥାକୁ ଚିତ୍ରିତ କରିଥିଲେ । ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ପେଣ୍ଟିଂରେ ଚିତ୍ରରେ ବିଶ୍ବ ବନ୍ଧୁତ୍ୱର ପରିପ୍ରକାଶ କରିଥିବା ବେଳେ ପ୍ରଶନ୍ନ ସ୍ବାଇଁ ସାମ୍ପ୍ରତିକ ସମୟରେ ବୁଦ୍ଧ ଧର୍ମର ଗଭୀରତାକୁ ଦର୍ଶାଇ ଥିଲେ। ଶୁଭସ୍ମିତା ଚିତ୍ରରେ ଜୀବନ ଓ ଯୌବନ ର ଦୋଛକିକୁ ପରିପ୍ରକାଶ କରିଥିଲେ ।
ତେବେ ଶିଳ୍ପୀ କେଶୁଦାସଙ୍କ ପେଣ୍ଟିଂଟି ରଙ୍ଗ, ଶୈଳୀ ଓ ବିଷୟବସ୍ତୁ ଉପସ୍ଥାପନାରେ ସମସ୍ତଙ୍କ ଠାରୁ ଭିନ୍ନ ଓ ନିଆରା ଥିଲା । ସେ ପ୍ରାକୃତିକ ରଙ୍ଗ ଭାରତୀୟ ଜଉକୁ ନୂତନ ଶୈଳୀରେ ପ୍ରୟୋଗ କରିଥିଲେ। କାନଭାସ ଉପରେ ଜଉରଙ୍ଗ ପ୍ରଲେପ କରି ହଟ୍ ବ୍ଲୋୟର୍ ଗରମ ଓ ଥଣ୍ଡା କରି ଯେଉଁ ଶୈଳୀରେ ଆଙ୍କିଲେ, ତାହା ଉପସ୍ଥିତ ସମସ୍ତ ଶିଳ୍ପୀଙ୍କୁ ଆକୃଷ୍ଟ କରିଥିଲା । ଅଙ୍କନ ଶୈଳୀରେ ସେ ଗୀତଗୋବିନ୍ଦର ରାଧାକୃଷ୍ଣଙ୍କ ରୀତିଯୁଗୀୟ ପ୍ରେମକୁ ସ୍ଥାନୀୟ କାଙ୍ଗ୍ରା ଶୈଳୀରେ ଅଙ୍କନ କରିଥିବା ବେଳେ ଶିଳ୍ପୀଙ୍କ ନିଜ ଅଞ୍ଚଳର ବିଲୁପ୍ତ ହେବାକୁ ବସିଥିବା ନୀଳରକ୍ତ କଙ୍କଡାକୁ ଯୋଡ଼ିଥିଲେ । ନୀଳରକ୍ତ କଙ୍କଡା ସବୁବେଳେ ସ୍ତ୍ରୀ ପୁରୁଷ କଙ୍କଡା ଯୋଡ଼ି ହୋଇ ଜୀବନ ବିତାଉଥିବା ବେଳେ ଦୈହିକ କାମନା ଚିରତାର୍ଥ କରିବା ପାଇଁ କେବେ ବି ପୁରୁଷ କଙ୍କଡା କି ସ୍ତ୍ରୀ କଙ୍କଡା ହିଂସ୍ର ଭାବ ଦେଖାଏ ନାହିଁ । ରୀତିଯୁଗୀୟ କାଙ୍ଗ୍ରା ଶିଳ୍ପୀମାନଙ୍କ ଚିତ୍ରରେ ରାଧାକୃଷ୍ଣ ପ୍ରେମ ପରି ନୀଳରକ୍ତ କଙ୍କଡାର ପ୍ରେମ କାୟୋମନବାକ୍ୟରେ ପବିତ୍ର ଓ ପରମାର୍ଥ, ତାହା ଶିଳ୍ପୀ ଦାସ ବିଷୟବସ୍ତୁରେ ଦର୍ଶାଇଛନ୍ତି । ପୁରାଣ ବର୍ଣ୍ଣିତ ରାଧାକୃଷ୍ଣର ସହସ୍ରାଧିକ ବର୍ଷ ପୂର୍ବରୁ ଜୀବଜଗତର ଆଦ୍ୟ ଭାଗରୁ ନୀଳରକ୍ତ କଙ୍କଡା ସୃଷ୍ଟିର ଚିରନ୍ତନ ଓ ଶାଶ୍ୱତ ପ୍ରେମର ବାର୍ତ୍ତା ଦେଇ ଆସୁଛନ୍ତି ବୋଲି ଶିଳ୍ପୀ ଦାସ ଏଠାରେ ପ୍ରତିପାଦନ କରିଛନ୍ତି । ଏଠାରେ ଶିଳ୍ପୀ ଦାସ ମଧ୍ୟ ରୀତିଯୁଗୀୟ କବି, ଲେଖକ ଓ ଶିଳ୍ପୀ ମାନେ ନିଜ ନିଜ କାବ୍ୟ କବିତା ବା ଚିତ୍ରରେ ନିଜର ଉପସ୍ଥିତି ଜାହିର କଲା ପରି ଏହି ପେଣ୍ଟିଂ ରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ମୋଟାମୋଟି ଭାବେ ଚିରାଚରିତ ଚିତ୍ରକଳା ଠାରୁ ଶିଳ୍ପୀ କେଶୁଦାସ ଙ୍କ ଚିତ୍ରଟି ମାଧ୍ୟମ, ଶୈଳୀ ଓ ବିଷୟବସ୍ତୁ ରେ ନିଆରା ଥିଲା ।
ଶିଳ୍ପୀ କେଶୁଦାସଙ୍କ ପେଣ୍ଟିଂ ବିଷୟରେ ପ୍ରଦର୍ଶନୀ ଉଦଘାଟକ ତଥା ବିଶିଷ୍ଟ ଗୁଲେର୍ ପେଣ୍ଟିଂ ବିଶେଷଜ୍ଞ ରାଘବ ଗୁଲେରିଆ କହନ୍ତି, “ସ୍ଥାନୀୟ ପାରମ୍ପାରିକ ଚିତ୍ରକଳାକୁ ହୃଦୟଙ୍ଗମ କରି ଆଧୁନିକ ଶୈଳୀରେ ନୂତନ ବିଷୟବସ୍ତୁକୁ ନିର୍ଣ୍ଣାୟକ ଭାବେ ଉପସ୍ଥାପନା କରିବାରେ ଶିଳ୍ପୀଙ୍କ କଳାଚାତୁରୀ ପ୍ରଶଂସନୀୟ। ମୁଁ ପ୍ରଥମ ଥର ପାଇଁ ଭାରତୀୟ ଜଉଚିତ୍ର ତଥା ନୀଳରକ୍ତ କଙ୍କଡା ଆଧାରିତ ଚିତ୍ର ଦେଖିଲି ।”
ସେହିପରି ଭିଏତନାମ ର ଅବସରପ୍ରାପ୍ତ କଳା ଅଧ୍ୟାପିକା ଗୁୟେନ୍ ହୋଙ୍ଗ ଡୋଙ୍ଗ ଓ ଯୁବ ଜଉଚିତ୍ରଶିଳ୍ପୀ ଆନଃ ଦାଓ ଗୁୟେନ୍ କହନ୍ତି ଯେ ଭିଏତନାମ ରେ ଜଉଚିତ୍ରର ଏକ ବଳିଷ୍ଠ ପରମ୍ପରା ରହିଛି । ତେବେ ଭିଏତନାମ ଜଉ ତରଳ ହୋଇଥିବା ବେଳେ ଭାରତୀୟ ଜଉ କଠିନ । ସମ୍ପୂର୍ଣ୍ଣ ଅଲଗା ଶୈଳୀରେ ଭାରତୀୟ ଜଉଚିତ୍ର ଆମେ ଦେଖିଲୁ । ଆମର ଗୋଟିଏ ଜଉଚିତ୍ର କରିବାକୁ ପ୍ରାୟ ଏକ ମାସ ସମୟ ଲାଗୁଥିବା ବେଳେ ଭାରତୀୟ ଜଉଚିତ୍ର ଦୁଇ ଦିନ ରେ ହୋଇପାରୁଛି । ଆମ ଜଉଚିତ୍ର କ୍ୟାନଭାସରେ ହୋଇପାରିବ ନାହିଁ । ଭିଏତନାମ ଜଉଚିତ୍ର କେବଳ ହାଡ ସର୍ଫେସରେ ହିଁ କରାଯାଏ। ଆମକୁ ବହୁତ ଭଲ ଲାଗିଲା ଦେଖି ନୂଆ ଶୈଳୀରେ ଭାରତୀୟ ଜଉଚିତ୍ର ।
ଓଡ଼ିଶାର ଯୁବଚିତ୍ରଶିଳ୍ପୀ ଶଶଧର ପତି ମଧ୍ୟ ପ୍ରଥମ ଥର ଜଉଚିତ୍ର ଦେଖି ଗର୍ବିତ ଯେ ଆମ ଓଡ଼ିଆ ଶିଳ୍ପୀ ଚିତ୍ରକଳା ଜଗତକୁ ଏକ ନୂଆ ମାଧ୍ୟମ ତଥା ବିଷୟବସ୍ତୁ ପ୍ରଦାନ କରିଛନ୍ତି। ଏଥିପାଇଁ ବଡ଼ଭାଇ କେଶୁ ଦାସଙ୍କୁ ବହୁତ ସାଧୁବାଦ ଜଣାଉଛି । ଏହାକୁ ଆଗକୁ ଆଗକୁ ନେଇ ଭାରତୀୟ ଚିତ୍ରକଳା ରେ ଏକ ଧାରା ପ୍ରତିଷ୍ଠିତ କରନ୍ତୁ ।
ସେହିପରି ପଞ୍ଜାବର ପ୍ରବଳ ପରମାଣିକ ସୋସାଇଟି ଅଫ ଆର୍ଟ ଏକାଡେମୀର ମୁଖ୍ୟ ଅନୁପ ଚନ୍ଦ୍ର, କାଙ୍ଗ୍ରା ମ୍ୟୁଜିୟମ ର କ୍ବୁରେଟର ରୀତୁ ମାଲକୋଟିଆ ପ୍ରମୁଖ କଳା ଆଲୋଚକମାନେ ମଧ୍ୟ ଏହି ଜଉଚିତ୍ର ଓ ନୀଳରକ୍ତ କଙ୍କଡା ପେଣ୍ଟିଂର ଭୂୟସୀ ପ୍ରଶଂସା କରିଥିଲେ ।