
-
ଏକ ସ୍ୱରରେ ଶାସକ ଓ ବିରୋଧୀ ବିଧାୟକ ମାନେ କଲେ ଦାବି
-
ଶୀଘ୍ର ବିଲ ଆଣିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ ବାଚସ୍ପତି
ଭୁବନେଶ୍ୱର, ପେଟ୍ରୋଲ ଦର ଖୁବ ବଢିଲାଣି । ହେଲେ ବିଧାୟକ ମାନଙ୍କର ଟ୍ରାଭେଲିଂ ଆଲାଉନ୍ସ ବୃଦ୍ଧି ହେଉ ନାହିଁ । ବିଜୁଳି ଦର ଖୁବ ବଢିଲାଣି । ବିଧାୟକ ମାନେ ଜନ ପ୍ରତିନିଧି ହୋଇଥିବା କାରଣରୁ ବିଧାନସଭା ସମୟରେ ଅନେକ ଲୋକ ବିଭିନ୍ନ କାମ ପାଇଁ ଆମ ନିକଟକୁ ଆସିଥାନ୍ତି । ତେଣୁ ଏଭଳି ସ୍ଥିତିରେ ରାଜ୍ୟର ବିଧାୟକ ମାନଙ୍କୁ ମିଳୁଥିବା ଦରମା ଓ ଭତ୍ତାକୁ ବୃଦ୍ଧି କରାଯିବା ସହ ପୂର୍ବତନ ବିଧାୟକ ମାନଙ୍କର ପେନସନକୁ ମଧ୍ୟ ବୃଦ୍ଧି କରାଯାଉ । ଏ ସମ୍ପର୍କରେ ବରିଷ୍ଠ ବିଧାୟକ ଅମର ପ୍ରସାଦ ସତପଥୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ତାର ରିପୋର୍ଟ ପ୍ରଦାନ କରି ସାରିଛି । ତେଣୁ ଏହି ରିପୋର୍ଟକୁ ଅନୁଧ୍ୟାନ କରି ଖୁବ ଶୀଘ୍ର ଏ ସମ୍ପର୍କିତ ବିଲ ବିଧାନସଭାରେ ପାରିତ କରାଯାଉ । ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ ଏହି ପ୍ରସଙ୍ଗରେ ଏକଜୁଟ ହୋଇ ବାଚସ୍ପତିଙ୍କ ସମ୍ମୁଖରେ ଏହି ଦାବି ରଖିଥିଲେ । ଅନ୍ୟ ପକ୍ଷରେ ବାଚସ୍ପତି ମଧ୍ୟ ଏ ସମ୍ପର୍କରେ ଶୀଘ୍ର ବିଲ ଆଣିବାକୁ ବ୍ୟବସ୍ଥା କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ ।
ଶୂନ୍ୟକାଳରେ ସର୍ବ ପ୍ରଥମେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ବିଧାୟକ ମାନଙ୍କୁ ଦିଆଯାଉଥିବା ଦରମା ଭତ୍ତା ଖୁବ କମ ହୋଇଥିବାରୁ ଏ ନେଇ ଅନୁଧ୍ୟାନ କରିବାକୁ ବିଧାୟକ ଅମର ପ୍ରସାଦ ସତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଉକ୍ତ କମିଟି ତାର ରିପୋର୍ଟ ପ୍ରଦାନ କରି ସାରିଛି । ରିପୋର୍ଟ ପାଇବା ପରେ ମଧ୍ୟ ସରକାର ଏ ଦିଗରେ କିଛି କରୁଥିବା ଜଣା ପଡୁ ନାହିଁ। ତେଣୁ ବାଚସ୍ପତି ଏହି ମାମଲାରେ ଶୀଘ୍ର ବିଲ ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ସେ କହିଥିଲେ ।
ଶାସକ ଦଳର ବିଧାୟକ ଅମର ପ୍ରସାଦ ସତପଥୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସେ ତାଙ୍କର ରିପୋର୍ଟ ସଂସଦୀୟ ବ୍ୟାପାର ବିଭାଗକୁ ଦେଇ ସାରିଛନ୍ତି । ଏହି ରିପୋର୍ଟରେ ଅନ୍ୟ ରାଜ୍ୟ ମାନଙ୍କରେ ବିଧାୟକ ମାନକୁ ପ୍ରଦାନ କରାଯାଉଥିବା ବେତନ ଓ ଭତା ସମ୍ପର୍କରେ ତୁଳନାତ୍ମକ ଚିତ୍ର ମଧ୍ୟ ରହିଛି । ଏବେ କିଛି ଦିନ ପୂର୍ବରୁ ଦିଲ୍ଲୀ ବିଧାନସଭାର ବିଧାୟକ ମାନଙ୍କର ଦରମା ଭତା ବଢିଛି । ତେଣୁ ସରକାର ଏ ଦିଗରେ ସଙ୍ଗେ ସଙ୍ଗେ ଆବଶ୍ୟକୀୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି , ସୁରେଶ ରାଉତରାୟ ମଧ୍ୟ ଏହି ପ୍ରସଙ୍ଗରେ ବିଧାୟକ ମାନଙ୍କର ଶୀଘ୍ର ବେତନ ଓ ଭତା ବଢାଇବାକୁ ଦାବି କରିବା ସହ ପୂର୍ବତନ ବିଧାୟକ ମାନଙ୍କୁ ପ୍ରଦାନ କରାଯାଉଥିବା ପେନସନ ମଧ୍ୟ ବଢାଇବାକୁ ଦାବି କରିଥିଲେ ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେଡି ବିଧାୟକ ପଦ୍ମନାଭ ବେହେରା ମଧ୍ୟ ଶୂନ୍ୟକାଳରେ ଏହି ସମାନ ଦାବି ଦୋହରାଇଥିଲେ ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ସେ ଗୃହର ଉଦବେଗକୁ ଅନୁଭବ କରୁଛନ୍ତି । ସେ ସଂସଦୀୟ ବ୍ୟାପାର ବିଭାଗର ମନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ ଯେ ଏ ସମ୍ପର୍କରେ ଗୃହର ନେତାଙ୍କ ସହ ଆଲୋଚନା କରି ବିଲ କିପରି ପାରିତ ହେବ ସେ ନେଇ ବ୍ୟବସ୍ଥା କରନ୍ତୁ ।